କନକ ବ୍ୟୁରୋ: କୋଶାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଏହି ଘଟଣାରେ ବିଜେଡି ନେତା ସଂଜୟ ଦାସବର୍ମା ରଖିଥିବା ବୟାନକୁ ନେଇ ଆପତି ଉଠାଇବା ସହ ସିଧାସଳଖ ପୁଲିସ୍ ଏବଂ ଶାସକ ଦଳ ଭିତରେ ବୁଝାବଣା ଥିବା ଅଭିଯୋଗ କରିଛି ବିଜେପି ।
/kanak/media/post_attachments/wp-content/uploads/2017/10/Screen-shot-2017-10-15-at-8.48.18-PM.png)
ତେବେ ଗୋଟିଏ ପଟେ ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମୃତ ନାବାଳିକାର ପରିବାର । ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନବରଙ୍ଗପୁରରେ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ଗତକାଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେଡି ନେତା ସଂଜୟ ଦାସବର୍ମା । ସେ କହଥିଲେ କି, କୋଶାଗୁମୁଡ଼ା ଘଟଣା ସତ୍ୟ ଉପରେ ଆଧାରିତ ନୁହେଁ । ତେବେ ଏପର୍ଯ୍ୟନ୍ତ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିନଥିବା ବେଳେ ସଂଜୟ ଦାସବର୍ମା କିପରି ସତ କ’ଣ ମିଛ କ’ଣ ଜାଣିଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଆଉ ଏହି ବୟାନକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି-ବିଜେଡି ନେତା କେମିତି ଜାଣିଲେ, ଦୁଷ୍କର୍ମ ହୋଇନାହିଁ କିମ୍ବା ହତ୍ୟା ହୋଇନାହିଁ । ଜାଣିଶୁଣି ପୁଲିସକୁ ବିଜେଡି ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ଭୃଗୁ ବକ୍ସିପାତ୍ର ।
ସେପଟେ, ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୧୫ ଦିନ ବିତିଗଲାଣି, ହେଲେ ଚୂପ୍ ବସିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ କୁଆଡ଼େ ଗଲା ବୋଲି ପଚାରୁଛନ୍ତି ମୃତ ନାବାଳିକାଙ୍କ ପରିବାର ଲୋକେ । ତେବେ ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ବି ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିପାରିନାହିଁ ପୋଲିସ । ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଥିବା ପ୍ରଦୀପ ମାଝୀଙ୍କ ନାଁରେ ପୋଲିସ ମାମଲା ଦାୟର କରିଥିବାରୁ, ସେମାନଙ୍କ ପାଇଁ କିଏ ଛିଡ଼ା ହେବ ବୋଲି ପ୍ରଶ୍ନ କରିଛନ୍ତି ମୃତ ନାବାଳିକାଙ୍କ ପରିବାର ଲୋକେ ।