କନକ ବ୍ୟୁରୋ: ଶୀତ ଅଧିବେଶନ ସରିଲା, ସମାଲୋଚନା ଆରମ୍ଭ ହେଲା । ଅଧାରୁ ଅଧିବେଶନ ସରିବା ନେଇ ଅସନ୍ତୋଷ ଜାହିର କଲା ବିଜେପି । ଗତକାଲି ବିଧାନସଭାକୁ ବାଚସ୍ପତି ହଠାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିବା ପରେ ଆଜି ବାଚସ୍ପତିଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ରାଜ୍ୟରେ ଅନେକ ସମସ୍ୟା, ଅନେକ ପ୍ରସଙ୍ଗ ଥାଇ ମଧ୍ୟ କଣ ପାଇଁ ଅଧିବେଶନ ସାରିଦେଲେ ବୋଲି ପ୍ରେସମିଟ କରି ପ୍ରଶ୍ନ କରିଛନ୍ତି ବିଷ୍ଣୁ ।
ତେବେ ବିଧାୟକଙ୍କ ପ୍ରଶ୍ନ ନଶୁଣି, ତାଙ୍କୁ କହିବାକୁ ନଦେଇ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଅଧିବେଶନକୁ ତରବର ଭାବେ ଆଗୁଆ ସାରିଦେବା ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ବିଷ୍ଣୁ କହିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ସରିବା ସରକାରଙ୍କ ଅପାରଗତା କହି ସମାଲୋଚନା କରିଛନ୍ତି ବିଷ୍ଣୁ । ଡିସେମ୍ବର ୧୯ ଯାଏଁ କାର୍ଯ୍ୟ ଦିବସ ଘୋଷଣା କରି ମାତ୍ରା ୧୭ ଦିନରେ ବିଧାନସଭା ବନ୍ଦ କରିଦେବା ରାଜ୍ୟ ସରକାରଙ୍କ ମନମାନୀ ଅଟେ ।
ସେପଟେ ସ୍ମିତାରାଣୀ, ମଣ୍ଡିରେ ଧାନ ଉଠୁ ନଥିବା ଭଳି ବିଭିନ୍ନ ଆଲୋଚନାକୁ ଡରିଗଲେ ସରକାର । ଲୋକମାନେ ଆମକୁ ଭରସା କରି ବିଧାନସଭା ପଠାଉଛନ୍ତି । ସେମାନଙ୍କ ସମସ୍ୟା କଥା ସରକାରଙ୍କ କାନରେ ପକାଇ ତାର ସମାଧାନ କରିବାକୁ ଆମକୁ ଜିତାଉଛନ୍ତି । ହେଲେ ଏଠି ବିଧାୟକଙ୍କ କଥା ନଶୁଣି, ତାଙ୍କୁ କହିବାକୁ ନଦିଆଯାଇ ତାଙ୍କ ପାଟି ଚୁପ କରି ଦିଆଯାଉଛି । ଏହା ଠାରୁ ବିଡମ୍ବନାର ବିାଣ ଆଉ କଣ ହୋଇପାରେ ବୋଲି ବିଷ୍ଣୁ କହିଛନ୍ତି ।
ତେବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାର କେଉଁ ଆଧାରରେ କ୍ଲିନ ଚିଟ ଦେଲେ ତାହା ବୁଝାପଡୁନି । । ପର୍ଯ୍ୟଟନ ବିଭାଗର ଚିଠି, ଦୁଇ ମହିଳାଙ୍କ ତାଜ ହୋଟେଲରେ ରହଣୀ ସହ ଇଣ୍ଡିଗୋ ଫ୍ଲାଇଟରେ ଯାତ୍ରାର ସମସ୍ତ ତଥ୍ୟ ତାଙ୍କ ପାଖରେ ଅଛି । ଯେହେତୁ ଗୃହରେ କୌଣସି ମନ୍ତ୍ରୀଙ୍କ ବିବୃତି ପରେ ଆଉ କାହାର କହିବାର ସୁଯୋଗର ନଥାଏ । ସେଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବିବୃତି ଉପରେ ଚ୍ୟାଲେଂଜ କରିପାରିଲୁନି । ତେଣୁ ସଂସ୍କୃତି ମନ୍ତ୍ରୀ ନୈତିକତା ଆଧରରେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।