କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଛି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକକୁ ଉଦଘାଟନ କରିବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାର ମହାପୁରୁଷଙ୍କୁ ମନେ ପକାଇଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର ଆଣିଥିବାରୁ ଦଳର ପ୍ରତିଟି କାର୍ଯ୍ୟକର୍ତ୍ତା ଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଆମେ ଓଡ଼ିଶାବାସୀଙ୍କ ସେବା କରିବା ବୋଲି କହିଛନ୍ତି ନଡ୍ଡା ।
ଏହାସହ ଦଳୀୟ ସାଂସଦ, ବିଧାୟକ ଓ ପଦାଧିକାରୀଙ୍କୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, ପଦ୍ମ ଚିହ୍ନରେ ୧୮ ଜଣ ଆଦିବାସୀ ଭାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର କାମ କରିବ । ଓଡ଼ିଶାରେ ୨୧ରୁ ୨୦ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି । ବିଜେପି ପୂରା ଦେଶର ଦଳ ପାଲଟି ସାରିଛି । ବିଜେପିରେ ପ୍ରଜାତନ୍ତ୍ର ରହିଛି । ବିଜେପି ସବକା ସାଥ ସବକା ବିକାଶରେ ବିଶ୍ୱାସ କରେ । ୧୮ଟି ରାଜ୍ୟରେ ବିଜେପି ଓ ଏନଡିଏ ସରକାର ରହିଛି । ୧୩ଟି ରାଜ୍ୟରେ କେବଳ ବିଜେପି ସରକାର ରହିଛି ।

Advertisment

ନିର୍ବାଚନ ଫଳାଫଳକୁ ଦେଖି କଂଗ୍ରେସ ଭାରି ଉତ୍ସାହିତ ହେଉଛି । ଯେପରି କୌଣସି ଫେଲ ହେଉଥିବା ଛାତ୍ର ହଠାତ୍ ପାସ୍ ହୋଇଗଲେ ଯେମିତି ଖୁସି ହୁଅନ୍ତି କଂଗ୍ରେସ ମାତ୍ର ୯୯ ଆସନ ପାଇ ସେମିତି ଖୁସି ହେଉଛି । ଇଣ୍ଡିଆ ମେଣ୍ଟର ସମସ୍ତ ସାଂସଦଙ୍କୁ ମିଶାଇଲେ ମଧ୍ୟ ବିଜେପି ସାଂସଦଙ୍କ ଠାରୁ କମ । ୨୦୧୪, ୨୦୧୯, ୨୦୨୪ରେ କଂଗ୍ରେସର ନିର୍ବାଚିତ ସାଂସଦଙ୍କ ଠାରୁ ବିଜେପି ସାଂସଦଙ୍କ ସଂଖ୍ୟା ଅଧିକ । ୧୩ ରାଜ୍ୟରେ କଂଗ୍ରେସ ଦଳ ଶୂନ, ତଥାପି ଏମିତି ଉତ୍ସାହ ଦେଖାଉଛନ୍ତି ଯେମିତି ବଡ ବିଜୟ ହାସଲ କରିଛନ୍ତି । କଂଗ୍ରେସ ଦଳ ପରଜୀବୀ ଦଳ ପାଲଟିଯାଇଛି । ଅନ୍ୟ ଦଳର ସହଯୋଗରେ କଂଗ୍ରେସ ବିଜୟୀ ହେଉଛି । ଯେଉଁଠି ଆଞ୍ଚଳିକ ଦଳ କଂଗ୍ରେସର ହାତ ଛାଡି ଦେଉଛନ୍ତି ସେଠାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରୁଛି । କଂଗ୍ରେସ ଯେଉଁ ପାର୍ଟି ସହ ଯୋଡିହୁଏ ସେହି ଦଳକୁ ଦୁର୍ବଳ କରିଦିଏ ।

କଂଗ୍ରେସ ଏବେ ସମ୍ବିଧାନ ଓ ଗଣତନ୍ତ୍ରର ରକ୍ଷକ ଭାବେ ନିଜକୁ ଚିତ୍ରଣ କରୁଛି । କିନ୍ତୁ ବାସ୍ତବରେ ଏମାନଙ୍କର ସମ୍ବିଧାନ ସହ କୌଣସି ନେଣଦେଣ ନାହିଁ । କଂଗ୍ରେସ ସମ୍ବିଧାନର ରକ୍ଷକ ନୁହେଁ ସମ୍ବିଧାନର ଭକ୍ଷକ । ଭାରତର ସମ୍ବିଧାନକୁ ଅନେକଥର ଆଘାତ ପହଞ୍ଚାଇଛି କଂଗ୍ରେସ । ଜରୁରୀକାଳୀନ ସ୍ଥିତି ସମୟରେ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରୁଥିଲେ । କଂଗ୍ରେସ ଦଳ ହିଁ ୯୦ ଥର ନିର୍ବାଚିତ ସରକାରଙ୍କୁ ଭାଙ୍ଗିଛି । ନବୀନ ବାବୁଙ୍କୁ ପଚାରନ୍ତୁ କିଭଳି ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ ଜେଲରେ ଭର୍ତ୍ତି କରିଥିଲା କଂଗ୍ରେସ । ବିଜେପି ହେଉଛି ବିଚାରଧାରାର ଦଳ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛି ବିଜେପି । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିଛି ବିଜେପି ଦଳ । ୨୦୧୪ ପୂର୍ବରୁ ଭାରତକୁ ଦୁର୍ନୀତିଖୋର ଦେଶ କୁହାଯାଉଥିଲା, ରିମୋଟ କଣ୍ଟ୍ରୋଲରେ ସରକାର ଚାଲୁଥିଲା । କିନ୍ତୁ ୨୦୧୪ ପରେ ଦେଶରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କମ ସମୟରେ ଅଧିକ କାମ କରିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଏବେ ପୂରା ଦେଶ ଭାରତକୁ ଦେଖୁଛି । କିଭଳି ଭାରତ କାର୍ଯ୍ୟ କରୁଛି ତାହା ବିଶ୍ୱ ଜାଣିବାକୁ ଚାହୁଁଛି । ବିଶ୍ୱରେ ଭାରତର ଛବିକୁ ଶୀର୍ଷସ୍ତରରେ ପହଞ୍ଚାଇଛନ୍ତି ମୋଦୀ । ଏବେ ଭାରତ ବଦଳି ସାରିଛି । ୟୁକ୍ରେନ ଓ ଋଷ ଯୁଦ୍ଧ, କରୋନା ମହାମାରୀ ପରେ ମଧ୍ୟ ଭାରତର ଆର୍ଥିକ ସ୍ଥିତି ସୁଦୃଢ ରହିଛି । ଏବେ ବିଶ୍ୱରେ ଭାରତ ୫ମ ବୃହତ୍ତ ଅର୍ଥବ୍ୟବସ୍ଥା ପାଲଟିଛି । ଆଗକୁ ଭାରତ ୨ୟ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ।

ମୋଦୀଙ୍କୁ ବିରୋଧ କରୁ କରୁ ଏବେ କଂଗ୍ରେସ ଦେଶକୁ ବିରୋଧ କରିବା ଆରମ୍ଭ କଲେଣି । ଏବେ ଓଡ଼ିଶାରେ ବିଜେପି ସରକାର ଗଢିଛି । କିନ୍ତୁ ଏହାପୂର୍ବରୁ ମଧ୍ୟ ଓଡ଼ିଶାକୁ କେବେ ଅଣଦେଖା କରିନି କେନ୍ଦ୍ର ସରକାର । ଆର୍ଥିକ ପ୍ୟାକେଜ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି । ସରକାର ବଦଳିବା ସହ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି, ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ବିକାଶରେ ବାଧା ଦେଉଥିଲେ ସରକାର, କିନ୍ତୁ ନୂଆ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।