ମୟୁରଭଂଜ ଜିଲ୍ଲା ବିଜେପି ସଭାପତିଙ୍କ ସମର୍ଥନରେ ରାଜ୍ୟ ନେତୃତ୍ୱ ! ବସନ୍ତ ପଣ୍ଡା କହିଲେ, ଗିରଫ ପଛରେ ରହିଛି ଷଡଯନ୍ତ୍ର

21

କନକ ବ୍ୟୁରୋ: ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଗିରଫ ପଛରେ ଷଡଯନ୍ତ୍ର ରହିଛି । କୃଷ୍ଣଚନ୍ଦ୍ରଙ୍କ ଘଟଣା ପାରିବାରିକ ସମସ୍ୟା ।ପୁଲିସ କାହା ନିର୍ଦ୍ଦେଶରେ କାମ କରୁଛି ସମସ୍ତେ ଜାଣନ୍ତି । ଆଗକୁ ଲଢେଇ ଜୋରଦାର ହେବ । ଏବଂ ବିଜେପି ୧୨୦ଟି ଆସନରେ ବିଜୟ ଲାଭ କରିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ସୂଚନା ମୁତାବକ, କୋଟିଏ ଟଙ୍କାର ଜମି ଠକେଇ ମାମଲାରେ ଗିରଫ ହୋଇଛନ୍ତି ମୟୂରଭଂଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର । ରବିବାର ରାତି ପ୍ରାୟ ୧୧ଟାରେ ଇନଫୋସିଟି ଥାନା ପୋଲିସ ଓ କଟକ ପୋଲିସ ମିଳିତ ଭାବେ କୃଷ୍ଣଙ୍କୁ କଟକର ମଙ୍ଗଳାବାଗ ଅଂଚଳରୁ ଗିରଫ କରିଥିଲେ । ଗତ ଶୁକ୍ରବାର ରାତି ପ୍ରାୟ ୩ଟାରେ କୃଷ୍ଣ ମହାପାତ୍ରଙ୍କ ବାରିପଦା ଫରେଷ୍ଟ କଲୋନି ସ୍ଥିତ ଘରେ ପୋଲିସ ଚଢାଉ କରିଥିଲା । ତେବେ ଆଗୁଆ ସୂଚନା ପାଇ ଖସିପଳେଇବାରେ ସକ୍ଷମ ହୋଇଥିଲେ କୃଷ୍ଣ ।

ଅଭିଯୋଗ ଅନୁସାରେ, କୃଷ୍ଣ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଜମିକୁ ଜଣଙ୍କୁ ବିକ୍ରି କରିବା ପରେ ପୁଣି ଆଉ ଜଣଙ୍କୁ ବିକ୍ରି କରିଦେଇଥିଲେ । ଦ୍ୱିତୀୟ କ୍ରେତା ରୀନା ଧୀର ଏହା ଜାଣିବା ପରେ କୃଷ୍ଣଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କୃଷ୍ଣ ମହାପାତ୍ର ରୀନାଙ୍କୁ ଏକ ଚେକ୍ ଦେଇଥିଲେ, ତେବେ ତାହା ବାଉନ୍ସ ହୋଇଯାଇଥିଲା । ଏ ନେଇ ରୀନାଙ୍କ ଅଭିଯୋଗ ପରେ କୃଷ୍ଣଙ୍କୁ ଖୋଜୁଥିଲା ପୋଲିସ ।