ଶେଷ ଲଢ଼େଇ ପାଇଁ ଗୋଟି ଚଳାଇଲେ ବିଜେପି ଚାଣକ୍ୟ ! ପ୍ରତିଘରୁ ଜଣକୁ ଚାକିରୀ ଓ କୃଷକଙ୍କୁ ପେନସନ୍ ମିଳିବ ପ୍ରତିଶ୍ରୁତି ଦେଇ ଲୋଭ ଦେଖାଇଲେ ଶାହା ।

923

କନକ ବ୍ୟୁରୋ: ଶେଷ ଲଢ଼େଇ ପାଇଁ ଶେଷ ବାଜି ଖେଳିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମୟୁରଭଞ୍ଜ ମୋରଡ଼ା ପ୍ରଚାର ମୈଦାନରେ ପ୍ରତିଶ୍ରୁତି ବର୍ଷା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେପି ସରକାର ଶ୍ରମିକ ଏବଂ କୃଷକଙ୍କୁ ପେନସନ ଦେବ । ୧ହଜାର କୋଟି ମହାନଦୀ ପାଇଁ ଖର୍ଚ୍ଚ ହେବ । ଏପରିକି ପ୍ରତି ଘରେ ଜଣକୁ ଚାକିରୀ ମିଳିବା ସହ ବ୍ୟବସାୟ ପାଇଁ ଯୁବକଙ୍କୁ ଲୋନ ଦିଆଯିବ । ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯିବ । କେନ୍ଦୁପତ୍ରରୁ ଜିଏସଟି ଛାଡ ହେବ । ମୁଣ୍ଡାରୀ ଏବଂ ହୋ ଭାଷାକୁ ସମ୍ବିଧାନରେ ସାମିଲ କରାଯିବ ବୋଲି ଲୋଭ ଦେଖାଇ ଭୋଟ୍ ଭିକ୍ଷା କରିଛନ୍ତି ବିଜେପି ଚାଣକ୍ୟ ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ମଧ୍ୟ ନିଶାନା କରି କହିଛନ୍ତି ଯେ, ମୁଁ ସାରା ଭାରତର ୨୬୨ଟି ଲୋକସଭା କ୍ଷେତ୍ରକୁ ଯାଇଛି । ସବୁଠି କେବଳ ଗୋଟିଏ ନାଆଁ ‘ମୋଦୀ ବୋଲି ଶୁଣିବାକୁ ପାଇଛି । ଗତ ୨୦ ବର୍ଷ ଭିତରେ ନରେନ୍ଦ୍ର ମୋଦୀ ଗୋଟିଏ ବି ଦିନ ଛୁଟି ନେଇ ନାହାନ୍ତି। ସେ ଦିନରେ ୧୮ ଘଣ୍ଟା କାମ କରିଛନ୍ତି । ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କଥା କହି ପାରୁ ନାହାନ୍ତି ସେ ମୁଖ୍ୟମନ୍ତ୍ରୀ ରହିବା ଉଚିତ ନୁହେଁ ବୋଲି କହି ନବୀନଙ୍କୁ ନିଶାନା କରିଛନ୍ତି ଶାହା ।