କନକ ବ୍ୟୁରୋ : ବିଜେପି ରାଜ୍ୟ ପ୍ରଭାରୀ ଡି ପୁର‌େନ୍ଦଶ୍ବରୀ ଓ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଉଭୟ ଭିନ୍ନ ଭିନ୍ନ ସମୟରେ ବିମାନ ବନ୍ଦରରେ ପହଞ୍ଚିଲା ପରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ସ୍ବାଗତ କରିଥିଲେ । ଉଭୟ ଦଳର ବିଭିନ୍ନ ସାଂଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ମାହାଙ୍ଗା ଯାଇ ସେଠାରେ ହତ୍ୟାର ଶୀକାର ହୋଇଥିବା ବିଜେପି ନେତା କୁଳମଣି ବରାଳଙ୍କ ଗାଁରେ ସାମ୍ବାଦିକ ସମ୍ମିଳନୀ କରିବେ।

Advertisment

ଗଣମାଧ୍ୟମ ସାମ୍ନାରେ ପ୍ରଭାରୀ ଓ ସହପ୍ରଭାରୀ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଡି ପୁରନ୍ଦେଶ୍ବରୀ କହିଥିଲେ ଯେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ହିଁ ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ଘଟଣାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଠି ସରକାର ଦୁର୍ନୀତିରେ ବୁଡ଼ି ରହଛନ୍ତି ।

ଶ୍ରୀ ତୋମାର କହିଲେ ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ। ଓଡ଼ିଶାରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ଼ କରିବା କାର୍ୟ୍ୟରେ ଲାଗିଛି। ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ।