କନକ ବ୍ୟୁରୋ: ପଦ୍ମପୁରରେ ଶକ୍ତି ପ୍ରଦର୍ଶନ କରିବା ସହ, ନିର୍ବାଚନୀ ସଭାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପଦ୍ମପୁର ଉପନିର୍ବାଚନରେ ଫସଲ ବୀମା ଓ ରେଳ ପ୍ରକଳ୍ପ ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଜବାବ ରଖିଛନ୍ତି ଓ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଚାଷୀଙ୍କୁ ଫସଲ ବୀମା ମିଳିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଜେଡି ଦାୟୀ କରି ଆସୁଥିବାବେଳେ, ପଦ୍ମପୁର ମାଟିକୁ ଆସି ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଜନସଭାକୁ ସମ୍ବୋଦ୍ଧିତ କରି କହିଛନ୍ତି, ବୀମା ଟଙ୍କା କେନ୍ଦ୍ର ଦେଇସାରିଛି । ରାଜ୍ୟ ସରକାରଙ୍କ ଭୁଲ୍ ଯୋଗୁ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ । ରାଜ୍ୟ ସରକାର ମିଛ କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି । ଡବଲ ଇଞ୍ଜିନ ସରକାର ଥିଲେ ଏହି ଅସୁବିଧା ହୋଇନଥାନ୍ତା । ତେଣୁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଉପନିର୍ବାଚନରେ ବିଜୟୀ କରାନ୍ତୁ ।

Advertisment

ପଦ୍ମପୁର ଉପନିର୍ବାଚନରେ ରେଳ ପ୍ରକଳ୍ପକୁ ବିଜେଡି ଆଉ ଏକ ପ୍ରମୁଖ ପ୍ରସଙ୍ଗ କରିବା ପରେ, ପ୍ରଥମ ଥର ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପଦ୍ମପୁର ନିର୍ବାଚନୀ ମଇଦାନରୁ ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅଶ୍ୱିନୀ । ଜନସଭାକୁ ସମ୍ବୋଦ୍ଧିତ କରି କହିଛନ୍ତି, ରାଜ୍ୟ ସରକାର କାଲି ଜାଗା ଦେଲେ, ପରଦିନ କାମ ଆରମ୍ଭ ହେବ । ରେଳ ସେବା ପାଇବା ପଦ୍ମପୁରବାସୀଙ୍କ ଅଧିକାର । ଏହି ଅଧିକାରକୁ କେହି ଛଡାଇପାରିବେ ନାହିଁ । କଂଗ୍ରେସ ୭୦ ବର୍ଷର ଶାସନ ଭିତରେ ରେଳବାଇ ପାଇଁ ଯାହା କରିପାରିନଥିଲା, ତାହା ଏବେ ମୋଦୀ ସରକାର କରୁଛନ୍ତି । ଓଡିଶାର ବିକାଶ ପାଇଁ ନେଇଥିବା ସଂକଳ୍ପକୁ ପୁରା କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ।

ଦୁଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଜବାବ ରଖିଛି ବିଜେଡି । ଦୁଇ ମନ୍ତ୍ରୀଙ୍କ ବୟାନକୁ ଅସତ୍ୟ କହିବା ସହ, ଜନସାଧାରଣରଙ୍କୁ ବିଭ୍ରାନ୍ତି କରିବା ପାଇଁ ଚାଲ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳ ପୂର୍ଣ୍ଣ ଓ ଅସତ୍ୟ । କ୍ଷତିପୂରଣ ରାଶି ବୀମା କମ୍ପାନୀ ଦିଅନ୍ତି, ରାଜ୍ୟ ସରକାର ନୁହେଁ । ରେଳମନ୍ତ୍ରୀଙ୍କୁ ପ୍ରଶ୍ନ କରି ପଚାରିଛନ୍ତି, କେନ୍ଦ୍ର ରାଜ୍ୟ ସରକାରଙ୍କୁ ଜମି ମାଗିବାର ଫୋରମ କଣ ସାଧାରଣ ସଭା? ଜମି ପାଇଁ ରାଜ୍ୟ ସରକାରଙ୍କୁ କେବେ ଚିଠି ଲେଖିଥିଲା କେନ୍ଦ୍ର? କେଉଁଠି ଜମି ଦେବୁ କୁହ?

ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ପରଠାରୁ, ଫସଲ ବୀମା ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ସେହିପରି ପଦ୍ମପୁର-ନୂଆପଡା ରେଳ ପ୍ରକଳ୍ପ ଆଉ ଏକ ପ୍ରମୁଖ ପ୍ରସଙ୍ଗ ପାଲିଟିଛି । ଯାହାକୁ ଆଳ କରି କେନ୍ଦ୍ରକୁ ଦୋଷ ଦେଇ ଆସୁଛି ବିଜେଡି । କିନ୍ତୁ ଏହି ଦୁଇ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପାଲଟା ଦୋଷ ଦେଇଆସୁଛି ବିଜେପି ।