କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । କାରଣ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମୃତ ଲଳିତଙ୍କ ବାପା । ଏପରିକି ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗ କରି ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ । ପୁଅ କୌଣସି କର୍ମ ସଂସ୍ଥାନ ପାଉନଥିବାବେଳେ ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ବୋଲି ଏତଲାରେ ଲେଖାଯାଇଛି । ତେଣୁ ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଝାରସୁଗୁଡା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବେଲାର୍ସେନ ସାହୁ । ଏଭଳି ସ୍ୱାର୍ଥ ସର୍ବସ୍ୱ ନେତାଙ୍କଠାରୁ ସୁରକ୍ଷା ଯୋଗାଇ ଦେବାପାଇଁ ମଧ୍ୟ ଚିଠିରେ ଅନୁରୋଧ କରିଛନ୍ତି ।
ସେପଟେ କାହିଁକି ଲଳିତଙ୍କ ମୃତଦେହକୁ ରାତି ଅଧିଆ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠୁଛି । ଏହି ପ୍ରସଙ୍ଗରେ ମଧ୍ୟ ଏତଲାରେ ସ୍ପଷ୍ଟ କରିଛନ୍ତି ମୃତକଙ୍କ ବାପା । ବଡପୁଅ ବିରଂଚି ସାହୁ ରାତିରେ ଶବ ବ୍ୟବଚ୍ଛେଦ କରିବାକୁ ଝାରସୁଗୁଡା ପୋଲିସ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତେଣୁ ଖରାଦିନେ ଶବ ନଷ୍ଟ ହୋଇଯିବା ଆଶଙ୍କାରେ ରାତାରାତି ଶବ ବ୍ୟବଚ୍ଛେଦ କରାଗଲା ବୋଲି କହିଛନ୍ତି ଝାରସୁଗୁଡା ଅତିରିକ୍ତ ଏସପି । ଏଥିପାଇଁ ମୃତକଙ୍କ ପରିବାର ସଦସ୍ୟଙ୍କ ସମ୍ମତି ରହିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ମୃତଦେହ ବ୍ୟବଛେଦ କରାଗଲା ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି କେଶବ ଚନ୍ଦ୍ର ବେହେରା ।