କନକ ବ୍ୟୁରୋ : ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେପିର ପ୍ରଦର୍ଶନ କେମିତି ରହିବ? ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି? ୨୦୧୭ ତୁଳନାରେ ୨୦୨୨ରେ ଭଲ ପ୍ରଦର୍ଶନ କରିପାରିବ କି ଦଳ? କିଛି ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୈତିକ ମହଲରେ ଘୂରି ବୁଲିଛି । କାରଣ ୨୦୧୭ ତୁଳନାରେ ଦଳ ତୃଣମୂଳସ୍ତରରେ ସେତେଟା ସକ୍ରିୟ ନଥିବା କୁହାଯାଉଛି । ଏହାଛଡା ଚଳିତଥର ଜିଲ୍ଲାସ୍ତରୀୟ ନେତା ପଞ୍ଚାୟତ ନିର୍ବାଚନ ପରିଚାଳନା କରୁ୍ଥିବା କୁହାଯାଉଛି । ଅଥାର୍ତ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀରେ ସୀମିତ ରହୁଛନ୍ତି ଦଳୀୟ ନେତା । ଯାହା ବିଜେପିର ପଞ୍ଚାୟତ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ଅନେକ ସ୍ଥାନରେ ଦଳର ବଡ ଚେହେରା ଏଯାବତ ପ୍ରଚାର ମୈଦାନକୁ ଓହ୍ଲାଇ ନାହାନ୍ତି । ଏଭଳି ସ୍ଥଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ବିଜେପିର ପଞ୍ଚାୟତ ପରୀକ୍ଷାକୁ ନେଇ ଉଠିଥିବା ପ୍ରଶ୍ନର ଏବେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ଜନସଂଘ ସମୟରୁ ବିଜେପିର ମୂଳ ଲକ୍ଷ୍ୟ ରହିଛି ଲୋକଙ୍କ ସେବା କରିବା? ସେବା ମାଧ୍ୟମରେ କେମିତି ସ୍ନେହ ଜିତିବା ତାହା ବିଜେପିର ପ୍ରୟାସ ରହିଥାଏ । କରୋନା ସମୟରେ ଆମ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବା କରିଛନ୍ତି । କରୋନା ସମୟରେ କେହି ଯେମିତି ଭୋକରେ ନରହିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୮୦ କୋଟି ଲୋକଙ୍କୁ ରାସନ ଦେଇଥିଲେ । କିଛି ଏଭଳି ଢଙ୍ଗରେ ଆମେ ସେବା ମାଧ୍ୟମରେ ଲୋକଙ୍କ ସ୍ନେହ ଓ ବିଶ୍ୱାସ ଜିତିଥାଏ । ତେଣୁ ବିଶ୍ୱାସ ରହିଛି , ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ନିଶ୍ଚୟ ଭଲ ପ୍ରଦର୍ଶନ କରିବ । ୨୦୧୭ ତୁଳନାରେ ବିଜେପି ଆହୁରି ଭଲ ପ୍ରଦର୍ଶନ କରିବ । ନିର୍ବାଚନ ପ୍ରଚାରକୁ ଓହ୍ଲାଇବା ପ୍ରସଙ୍ଗରେ ଅଶ୍ୱିନୀ କହିଛନ୍ତି, ଅନେକ ଦାୟିତ୍ୱ ମିଳିଛି । ଆମ ଦଳ ଅତି ଶୃଙ୍ଖଳିତ ଦଳ । କାହାକୁ କଣ ଦାୟିତ୍ୱ ମିଳିବ ତାହା ଦଳ ସ୍ଥିର କରିଥାଏ । ମୋତେ ଯାହା ଦାୟିତ୍ୱ ମିଳିବ ତାହା କରିବି । ଆଉ ଅଶ୍ୱିନୀଙ୍କ ଏଭଳି ବୟାନ ଏବେ ତୃଣମୂଳସ୍ତରରେ ବିଜେପି କର୍ମୀଙ୍କ ମନରେ ଆତ୍ମବିଶ୍ୱାସ ବଢାଇବ ।