କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଶାଇଲା । ହେଲେ ଏବେ ବିଜେପି ବିଧାୟକ ମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନିତୀଶ କୁମାର । ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବିଳମ୍ବକୁ ନେଇ ନିତୀଶ କୁମାର ସହଯୋଗୀ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିହାରରେ ଏଭଳି କେବେ ହୋଇ ନଥିଲା ବା ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣରେ ଏତେ ବିଳମ୍ବ ହୋଇ ନଥିଲା । ସରକାର ଆରମ୍ଭରୁ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ କରାଯାଏ ବୋଲି ନିତୀଶ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସୁଶାସନ ବାବୁ (ନିତୀଶ କୁମାର) କହିଛନ୍ତି କି ସେ ଗୁରୁବାର ଦିନ ବିଜେପିର ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ ଓ ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କ ସହ ସାକ୍ଷାତ କରିଥିଲେ । ହେଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ କୌଣସି ପ୍ରକାର ରାଜନୈତିକ ଚର୍ଚ୍ଚା ହୋଇପାରି ନଥିଲା । ତେଣୁ ମେଣ୍ଟ ସରକାରରେ ଯେହେତୁ ବିଜେପିର ଅଧିକ ବିଧାୟକ ରହିଛନ୍ତି ତେଣୁ ବିଜେପିର ରାୟ ନମିଳିବା ପର୍ଯ୍ୟନ୍ତ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ନିତୀଶ କୁମାର ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି କି ଏନେଇ ତୁରନ୍ତ ବିଜେପି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଲେ ଯାଇ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇ ପାରିବ ।

Advertisment

କହିରଖୁ କି କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରୀ ଦେବୀ କହିଥିଲେ କି ଖୁବଶୀଘ୍ର ନିତୀଶ କୁମାର ମହାଗଠବନ୍ଧନରେ ଯୋଗ ଦେଇ ପାରନ୍ତି । ଏନେଇ ଆରଜେଡି ପକ୍ଷରୁ ମାନସ ମନ୍ଥନ ଚାଲିଛି । ରାବ୍ରୀଙ୍କ ବୟାନ ଓ ନିତୀଶଙ୍କ ବୟାନ ଶୁଣିବା ପରେ ବିହାରରେ କୌଣସି ସମୟରେ ଏକ ରାଜନୈତିକ ଝଡ ଦେଖାଦେବ ବୋଲି ଅନୁମାନ କରାଯାଉଛି ।