ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ଟିମ୍ । କିଛି ବୁଥରେ ସାନି ମତଦାନ ଦାବି, ସିଇଓଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ ।

1,123

କନକ ବ୍ୟୁରୋ: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ସରିଲା ନିର୍ବାଚନ ବଢ଼ିଲା ରାଜନୀତି । ଦିଲ୍ଲୀ ଯାଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ଓଡ଼ିଶା ବିଜେପି ପ୍ରତିନିଧି ଦଳ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଇସିଆଇଙ୍କୁ ଭେଟିଛନ୍ତି । ଭେଟିବା ପରେ ଧର୍ମେନ୍ଦ୍ର କହିଛନ୍ତି କି, ଗତ ୨୯ ତାରିଖରେ ରାଜ୍ୟରେ ହୋଇଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଅଧିକ ହିଂସାକାଣ୍ଡ ହୋଇଛି । ଆଉ ଶାସକ ବିଜେଡି ପାଇଁ କିଛି ଭଷ୍ଟ୍ର ସରକାରୀ ଅଫିସର କାର୍ଯ୍ୟ କରୁଥିବା ଧରାପଡ଼ିଥିଲେ । ଆଉ ସେଥିପାଇଁ ୩ ଜଣ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଯାହାର ଭିଡ଼ିଓ ତଥ୍ୟ ପ୍ରମାଣ ସବୁ ଇସିଆଇଙ୍କୁ ହସ୍ତାନ୍ତର କରିଛୁ ।

ଅନ୍ୟପଟେ ବିଜେଡି ପରାଜୟ ଭୟରେ ବିଭିନ୍ନ ସ୍ଥାନରେ ଗୁଣ୍ଡାରାଜ ଖେଳାଉଥିବା ସାଂଘାତିକ ଅଭିଯୋଗ ଆଣି ଇସିଆଇ ସୁନିଲ ଅରୋରାଙ୍କୁ ଅବଗତ କରାଇଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏପରିକି ୧୫ଟି ବିଧାନସଭା କ୍ଷେତ୍ରରେ ଥିବା ବିଭିନ୍ନ ବୁଥରେ ସାନି ମତଦାନ କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଆସି ଇସିଆଇଙ୍କୁ ସାକ୍ଷାତ କରିବା ନେଇ ଧର୍ମେନ୍ଦ୍ର କହିଛନ୍ତି କି, ପାଟକୁରା ନିର୍ବାଚନରେ ପରାଜୟ ଭୟରେ ତାରିଖ ଘୁଞ୍ଚାଇବାକୁ ବାତ୍ୟାର ନାଁ ନେଇ ଚାପ ପକାଇବାକୁ ଚେଷ୍ଟା କରୁଛି ବିଜେଡି । କାରଣ ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ୍ ପାଟକୁରା ଠାରୁ ୧୦୦ କିଲୋମିଟର ଦୂରରେ ହେବ ବୋଲି ପାଣିପାକ ବିଭାଗ ଆକଳନ କରିଛି । ହେଲେ ବିଜେଡି ପାଟକୁରାରେ ପରାଜୟ ଭୟରେ ଏଭଳି ଚାପ ପକାଇବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବିରୋଧରେ ମଧ୍ୟ ଇସିଆଇଙ୍କୁ ଅବଗତ କରାଇଛି । କାରଣ ରାଜ୍ୟରେ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷପାତିତା କରିଛନ୍ତି । ସେ ଜଣେ ସବୁଠାରୁ ଅଧିକ ପକ୍ଷପାତିତା କରୁଥିବା ଅଫିସର ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଇସିଆଇଙ୍କୁ ଅବଗତ କରାଇଥିଲୁ ଆଉ ଆଜି ମଧ୍ୟ ଇସିଆଇ ସୁନିଲ ଅରୋରାଙ୍କୁ ଅବଗତ କରାଇଛୁ ।