ମମିତା ହତ୍ୟା ମାମଲାରେ ଥମୁନି ପ୍ରତିବାଦ : ଆଜି ବିଜେପି ପକ୍ଷରୁ ନୂଆପଡ଼ା, ସୂବର୍ଣ୍ଣପୁର ୧୨ ଘଣ୍ଟିଆ ବନ୍ଦ

107

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଜାରି ରଖିଛି ବିଜେପି । ଆଜି ସୁବର୍ଣ୍ଣପୁର, ନୂଆପଡ଼ା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବିରେ ଏହି ବନ୍ଦ ଡକାରା ଦେଇଛି ବିଜେପି । ସକାଳୁ ସକାଳୁ ନୂଆପଡ଼ାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ଆଜି ଦୋକାନବଜାର ବନ୍ଦ ରହିଛି । ଠିକ୍ ସେହିପରି ଗାଡ଼ିଚଳାଚଳ ବନ୍ଦ ରହିଛି । ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ବିଜେପି ପକ୍ଷରୁ ସକାଳ ୬ଟାରୁ ନୂଆପଡ଼ା ସଦର ୩୫୩ ଜାତୀୟ ରାଜପଥରେ ବିଜେପି ନେତାମାନେ ଏକତା ଛକରେ ରାସ୍ତା ଅବରୋଧ କରିବାରୁ ଯାନବାହାନ ବନ୍ଦ ରହିଛି ।

ଏହି ବନ୍ଦରେ ନୂଆପଡ଼ା ଜିଲ୍ଲା ସମସ୍ତ ସରକାରୀ, ବେସରକାରୀ ଅଫିସ, କୋର୍ଟ, ବ୍ୟାଙ୍କ, ସ୍କୁଲ କଲେଜ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଛି । ଏହି ବନ୍ଦରେ ନୂଆପଡ଼ା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ, ମନିଜର ଆର୍ଯ୍ୟ, ହୋମ ସିଂ ମାଝୀ, ଗୋଲୁ ଦଣ୍ଡସେନା , ଭଗତ ସିଂ ଉପସ୍ଥିତ ରହିଛନ୍ତି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ଓ ୩ ଏନଏସିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।