ଭୋଟ ପୂର୍ବରୁ ନେତାଙ୍କ ମୁହଁରେ ସିଟ୍ ଗଣିତ । ପାଣ୍ଡିଆନ କହିଲେ, ବିଜେପିର ଟାର୍ଗେଟ ୩୦ ଆସନ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡିକୁ ମିଳିଯିବ ବହୁମତ

126

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପଡିବ ଭୋଟ । ଏହି ପର୍ଯ୍ୟାୟରେ ସମ୍ବଲପୁର, ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, କେନ୍ଦୁଝର ଆଦି ଲୋକସଭା କ୍ଷେତ୍ରରେ ମତଦାନ ହେବ । ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା ସହ ଚଳିତ ନିର୍ବାଚନ କେଉଁ ଆଡକୁ ମୁହାଁଉଛି, ତା’ର ଏକ ଚିତ୍ର ଦେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତେବେ ଭୋଟ ପଡିବା ପୂର୍ବରୁ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ କହିଛନ୍ତି, ଏଥର ୩୦ ସିଟ୍ରେ ସୀମିତ ରହିବ ବିଜେପି, ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବହୁମତ ହାସଲ କରିବ ବିଜେଡି ।

ଏପଟେ ବିଜେପି ମଧ୍ୟ ସଫଳତାର ଶୀର୍ଷ ଛୁଇଁବ ବୋଲି ଆକଳନ କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ୭୫ ପ୍ଲସ୍ ଗଣିତ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶହେ ସିଟର ଆକଳନ ପରେ ଆଉ ପାଦେ ଆଗକୁ ଯାଇଛନ୍ତି କେନ୍ଦ୍ରାପଡ଼ା ଲୋକସଭାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କହିଛନ୍ତି, ଲୋକସଭାରେ କ୍ଲିନ୍ ସୁଇପ୍ କରିବ ବିଜେପି, ଆଉ ରାଜ୍ୟରେ ବହୁମତ ପାଇ ସରକାର ଗଢିବ ଦଳ ।

୨୦୨୪ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଛି । ଭୋଟ ପଡ଼ିବା ପୂର୍ବରୁ କିଏ ପାଇବ କେତେ ଆସନ, ଆକଳନ କରୁଛନ୍ତି ନେତା । ସମୀକ୍ଷକଙ୍କ ମତ, ନିଜ ସପକ୍ଷରେ ଏକ ଧାରଣା ସୃଷ୍ଟି ପାଇଁ ସଂଖ୍ୟା ଗଣିତକୁ ଦୋହରାଉଛନ୍ତି ରାଜନୈତିକ ଦଳ ।

ତୃତୀୟ ପର୍ଯ୍ୟାୟ ଉପରେ କେନ୍ଦ୍ରୀତ ହୋଇ ରହିଛି ସମସ୍ତ ରାଜନୈତିକ ଦଳର ଫୋକସ । ରାଜନୈତିକ ଦୃଷ୍ଟିକୋଣରୁ ଅନେକ ସମ୍ବେଦନଶୀଳ ଅଂଚଳ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳର ଶୀର୍ଷ ନେତା, ପୂରା ଦମ୍ରେ ପ୍ରଚାର କରିଛନ୍ତି । କାହା ଉପରେ ଭରସା କରୁଛନ୍ତି ଜନତା ଜନାର୍ଦ୍ଦନ, ତା’ର ହିସାବ ନିକାଶ ହେବ ଏହି ପର୍ଯାୟରେ ।