ବିଜେଡିରୁ ମୁହଁ ଫେରାଇଲେଣି, ବିଜେପିକୁ ବିକଳ୍ପ ଭାବେ ବାଛି ସାରିଲେଣି ଲୋକେ । ୪ରୁ ୬ ମାସ ଅପେକ୍ଷା କରନ୍ତୁ ଦେଖିବେ କଣ ହେବ : ମନମୋହନ ସାମଲ

588

କନକ ବ୍ୟୁରୋ : ୨୦୨୪ରେ ସରକାର ଗଢିବୁ । ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ୱ ନେଉ ନେଉ କିଛି ଏଭଳି କହିଛନ୍ତି ମନମୋହନ ସାମଲ । ଲୋକେ ଏବେ ବିଜେଡିରୁ ମୁହଁ ଫେରାଇ ନେଲେଣି ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରି ସାରିଲେଣି । ଲୋକଙ୍କର ଆଶୀର୍ବାଦ ଓ ସହଯୋଗ ବଳରେ ଆମେ ପରିଶ୍ରମ କରି ଓଡ଼ିଶାବାସୀ ଚାହୁଁଥିବା ବିକଳ୍ପ ସରକାର ଗଢିବାକୁ ଚେଷ୍ଟା କରିବୁ । ଯେଉଁ ଅଭିଜ୍ଞତା ଅଛି ତାହାକୁ ପାଥେୟ କରି ପରିବର୍ତ୍ତନ ପାଇଁ ମାହୋଲ ସୃଷ୍ଟି କରିବୁ ।

ମୁଁ ସଭାପତି ଥିବା ବେଳେ ରାଜ୍ୟରେ ସରକାର ଗଢିଛୁ । ତେଣୁ ୨୦୨୪ରେ ମଧ୍ୟ ସରକାର ଗଢିବୁ । ନବୀନଙ୍କ ବିରୋଧରେ ଲଢିବା ଦରକାର ନାହିଁ । ଲୋକ ଲଢିବା ଆରମ୍ଭ କଲେଣି । ଲୋକେ ସରକାର ଆଣିବେ । ନବୀନ ବାବୁ ଏଥର ନିର୍ବାଚନ ହାରିବେ । ପୂର୍ବରୁ ଲୋକ ବିକଳ୍ପ ପାଇନଥିଲେ କିନ୍ତୁ ଗତ ନିର୍ବାଚନ ପରଠାରୁ ଲୋକେ ବିକଳ୍ପ ପାଇଗଲେଣି । ତେଣୁ ସରକାର ଗଢିବାରେ କୌଣସି ସମସ୍ୟା ରହିବନି । ପୂର୍ବରୁ କଂଗ୍ରେସ ବିରୋଧରେ ଲଢୁଥିଲୁ ଏବେ ବିଜେଡି ବିରୋଧରେ ଲଢେଇ ହେବ । ଉପକୂଳ ଓଡ଼ିଶାରେ ଲୋକେ ମନ ବଳାଇଲେଣି ସରକାର ପରିବର୍ତ୍ତନ କରିବେ ବୋଲି ।

ସାଧାରଣ ଲୋକ ଏହି ସରକାରରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି । ସେହି ଅସନ୍ତୋଷର ବିସ୍ଫୋରଣ ୨୦୨୪ରେ ହେବ । ଅସମ୍ଭବ ବୋଲି କିଛି ନାହିଁ କିନ୍ତୁ କଷ୍ଟ ହୋଇପାରେ । ଆମେ ବହୁମତ ସହ ସରକାର ଗଢିବୁ । ଓଡ଼ିଶାରେ ସରକାର ହେଉ ବୋଲି କେନ୍ଦ୍ରୀୟ ନେତା ବି ଚାହୁଁଛନ୍ତି । ରାଜ୍ୟ ସରକାର ସହ ଆମେ କୌଣସି ବୁଝାମଣା କରିନାହୁଁ । ସେମାନେ କଣ ପାଇଁ ସଂସଦରେ ସମର୍ଥନ ଦିଅନ୍ତି ତାହା ସେମାନଙ୍କୁ ପଚାରିବା କଥା ।

ମୁଁ କେବେ ମୋ ଘରେ ରହିନାହିଁ । ଆମେ ପ୍ରଚାର ପ୍ରସାରରେ ବିଶ୍ୱାସ କରୁନାହୁଁ, ଆମେ କାମରେ ବିଶ୍ୱାସ କରୁ । ଦାୟିତ୍ୱକୁ ନିର୍ବାହ କରିବା ସବୁଠୁ ବଡ କଥା । କିନ୍ତୁ ଭରସା ଅଛି ଭଗବାନ ଶକ୍ତି ଦେବେ । ୪ରୁ ୬ ମାସ ଅପେକ୍ଷା କରନ୍ତୁ, କଣ ହେବ ଦେଖିବେ । ଲୋକମାନେ ଆମକୁ ବିକଳ୍ପ ଭାବେ ବାଛି ସାରିଲେଣି । ବିଜେଡି ବିରୋଧରେ ଲଢିବାକୁ ଅନେକ ପ୍ରସଙ୍ଗ ଅଛି । ନବ ଦାସ ହତ୍ୟାକାଣ୍ଡ ଘଟଣା କଣ ଛୋଟ ପ୍ରସଙ୍ଗ କି? ନିର୍ବାଚନ ଲଢିବାକୁ ଆମେ ସବୁବେଳେ ପ୍ରସ୍ତୁତ । ନବୀନ ବାବୁଙ୍କୁ ଗଣମାଧ୍ୟମ ଏକନମ୍ବର କରିଛନ୍ତି । ବିଜେଡି ନେତା ଜାଣିଛନ୍ତି ତାଙ୍କର ଯୋଗ୍ୟତା କଣ? ତେଣୁ ଗଣମାଧ୍ୟମ ଚାହିଁଲେ ପୁଣି ତାଙ୍କୁ ଶେଷକୁ ନେଇଆସିବେ । ରାଜ୍ୟବାସୀଙ୍କର ଯେଉଁ ବିଶ୍ୱାସ ବିଜେପି ଉପରେ ଅଛି ତାହାକୁ ଅତୁଟ ରଖିବୁ । ସେହିଭଳି କାର୍ଯ୍ୟକର୍ତ୍ତା ମାନେ ସରକାର ପରିବର୍ତ୍ତନ କରିବାକୁ ସବୁ ତାକତ ଲଗାଇ ଦିଅନ୍ତୁ ବୋଲି କହିଛନ୍ତି ବିଜେପିର ନୂଆ ସଭାପତି ମନମୋହନ ସାମଲ ।