କନକ ବ୍ୟୁରୋ : ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱ ଦାୟୀ । ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ପୌର ଫଳାଫଳକୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦଙ୍କ ଏହି ବୟାନ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ସେପଟେ ଅର୍ଥବଳରେ ବିଜେଡି ଜିତିଥିବା ନେଇ ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଆଣିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି, ଏଭଳି କଥା କହି ଲୋକଙ୍କୁ ଅପମାନିତ କରାଯାଉଛି ।

Advertisment

ରାଜ୍ୟ ନେତୃତ୍ୱ ସୁଦୃଢ ଥିଲେ ପୈାର ଫଳାଫଳ ଏଭଳି ହୋଇନଥାନ୍ତା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏହି ବିବୃତି ଏବେ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ତିଆରି କରିଛି । ରାଜ୍ୟରେ ବିଜେପି କର୍ମୀଙ୍କର ସାମର୍ଥ୍ୟ ଓ କ୍ଷମତା ଥିବା ସତ୍ୱେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ଦାୟୀ କରିଛନ୍ତି ସାଂସଦ । ଅର୍ଥ ଓ ବାହୁବଳ ପ୍ରୟୋଗ କରି ଶାସକଦଳ ନିର୍ବାଚନ ଜିତୁଥିବା ଅଭିଯୋଗ କରିଥିଲେ ମଧ୍ୟ ନିଜ ଦଳର ଦୁର୍ବଳତାକୁ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି ଅପରାଜିତା ।

ସମ୍ମାନଜନକ ଭୁବନେଶ୍ୱର ମେୟର ଆସନ ପାଇଁ ଅପରାଜିତା ନିଜ ପସନ୍ଦର ପ୍ରାର୍ଥୀ ଦେବା ପରେ ପ୍ରଚାରରେ ଦଳୀୟ ନେତାଙ୍କୁ କାଁ ଭାଁ ଦେଖିବାକୁ ମିଳିଥିଲା । ପୂର୍ବରୁ ରାଜ୍ୟ ସଂଗଠନ ଓ ସାଂସଦଙ୍କ ମଧ୍ୟରେ ଫାଟ ଜଳଜଳ ଦିଶୁଥିଲେ ବି କେହି କାହା ବିରୋଧରେ ମୁହଁ ଖୋଲୁ ନଥିଲେ । ଏବେ ସାଂସଦ ଦୁର୍ବଳ ନେତୃତ୍ୱର କଥା କହିବା କାହାକୁ ଇଙ୍ଗିତ କରୁଛି ।

ଏପଟେ ପୈାର ଫଳାଫଳ ଆସୁ ଆସୁ ଚିରାଚରିତ ଢଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । କୋଟି କୋଟି ଟଙ୍କା ଓ ବାହୁବଳ ଖର୍ଚ୍ଚ କରି ଶାସକଦଳ ନିର୍ବାଚନରେ ସଫଳତା ପାଇଥିବା ଅଭିଯୋଗ କରିଛନ୍ତି ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ । ଆଉ ଅତି ଚତୁରତାର ସହ ସୁନୀତିଙ୍କ ଅଭିଯୋଗର ଉତର ରଖିଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ ।

ବିଏମସି ନିର୍ବାଚନରେ ବିଜେଡି ବାଜିମାତ କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଲକ୍ଷାଧିକ ଭୋଟ ପାଇବା ଦଳ ପାଇଁ ଶାନ୍ତ୍ୱନା ଆଣିଛି । ମିଳିମିଶି ଉଦ୍ୟମ କଲେ ସଫଳତା ମିଳିବ ବୋଲି ଅପରାଜିତା କହିଥିବା ବେଳେ ନେତୃତ୍ୱକୁ ଏକାଠି କରିବା ପାଇଁ ସାଂସଦ ଆଗକୁ କଣ ଉଦ୍ୟମ କରୁଛନ୍ତି ଦେଖିବାକୁ ବାକି ରହିଲା ।