ବୈଠକରେ ବାହାରିଲାନି ନିଷ୍କର୍ସ । ଦିଲ୍ଲୀ ଗଲା ବିଜେପି ବିଧାୟକଙ୍କ ତାଲିକା, ବିଧାୟକ ଦଳ ନେତା ବାଛିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

277

କନକ ବ୍ୟୁରୋ: ବୈଠକ ସରିଲା, ଏବେ ଦିଲ୍ଲୀ ଭରସା । ରାଜ୍ୟ ବିଜେପିର ବିଧାୟକ ଦଳ ନେତା କିଏ ହେବ ସେନେଇ ଦିଲ୍ଲୀ ଦରବାରରୁ ଆସିବ ଗ୍ରୀନ୍ ସିଗନାଲ । ଆଉ ଓଡ଼ିଶା ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ନିଷ୍ପତି ନେବେ ବିଜେପି ରାଷ୍ଟ୍ରୀୟ ଅମିତ ଶାହା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଖାପାଖି ଦେଢ଼ ଘଣ୍ଟାର ମାନସ ମନ୍ଥନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହାଙ୍କ ପାଖକୁ ବିଧାୟକଙ୍କ ତାଲିକା ପଠାଇଛି ବିଜେପି ବୋଲି ବୈଠକ ପରେ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ।

ଅନ୍ୟପଟେ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜା ପାଣ୍ଡେଙ୍କ ଉପସ୍ଥିତିରେ ମଧ୍ୟ ବିଜେପି ବିଧାୟକ ଦଳ ନେତା ବଛାଯାଇ ପାରିଲା ନାହିଁ । ତେବେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନ ପାଇଥିବା ବିଜେପି ପାଇଁ କିଏ ବିଧାନସଭାରେ ସରକାରଙ୍କୁ ଘେରିବା ସହ ରାଜ୍ୟ ବିଜେପିର ବିଧାୟକଙ୍କ ମଙ୍ଗ ସମ୍ଭାଳିବ ତାହା ଏବେ ଲଟକି ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ୨୫ ତାରିଖରୁ ବିଧାସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ତେଣୁ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ସବୁଜ ସଂକେତ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ।