କନକ ବ୍ୟୁରୋ : ନିର୍ବାଚନ ସରିଲା ପରେ ଏବେ କେନ୍ଦ୍ରରେ ତୃତୀୟ ଥର ପାଇଁ ଏନଡିଏ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି । ଏହି କ୍ରମରେ ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ହେଲେ ବିଶ୍ୱର ସର୍ବ ବୃହତ ରାଜନୈତିକ ପାର୍ଟି କୁହାଯାଉଥିବା ବିଜେପିର କିଏ ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ୪ ଜଣ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ, ମନୋହରଲାଲ ଖଟ୍ଟର ଓ ଭୂପେନ୍ଦ୍ର ଯାଦବଙ୍କ ନାମ ରହିଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଭୂପେନ୍ଦ୍ର ଯାଦବଙ୍କ ନାମକୁ ନେଇ ଚାଲିଛି ।

ଏବେ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ହେଲେ ଅଳ୍ପଦିନ ମଧ୍ୟରେ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ବିଜେପି ତାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବ । ୨୦୧୯ ରେ ବିଜେପି ଏକାକୀ ବହୁମତ ପାଇଥିବାରୁ ଜେପି ନଡ୍ଡାଙ୍କୁ ଦଳର ଅଧ୍ୟକ୍ଷ ଭାବେ ବିଶେଷ ପରିଶ୍ରମ କରିବାକୁ ପଡିନାହିଁ । ହେଲେ ଚଳିତ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଠାରୁ ବହୁ ପଛରେ ରହିଛି । କିଛି ଆଞ୍ଚଳିକ ଦଳକୁ ନେଇ ଏନଡିଏ ମେଣ୍ଟ ସରାକର ଗଠନ କରିବାକୁ ଯାଉଛି । ଏହି କ୍ରମରେ ବିଜେପି ଓ ଏନଡିଏକୁ ସମାନ୍ତରାଳ ଭାବେ ଚଳାଇବାକୁ ବିଜେପି ଜଣେ ଦକ୍ଷ ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରିବାକୁ ପଡିବ ।