କନକ ବ୍ୟୁରୋ : ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ଜନତା । ଦେଶର ୬ ଲକ୍ଷ ୪୦ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ମଧ୍ୟରେ ୩୫ ହଜାର ଅଙ୍ଗନବାଡି, ୨୨ ହଜାର ବଜାର, ୭ ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋଶାଳା ଓ ୩୦୦ ଚଡିଆଘର ରହିଛି ।

Advertisment

ଦିନ ୧୦ଟାରୁ ୧୧ ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କି ବାତ୍ରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଅହମ୍ମଦାବାଦରେ ଏହି ଅଭିଯାନରେ ସାମିଲ ହୋଇଥିଲେ ଗୃହମନ୍ତ୍ରୀ ଅମିତ ଶାହ ।

ହାତରେ ଝାଡୁ ଧରି ସଫା କରିଥିଲେ ଅମିତ ଶାହା । ଦିଲ୍ଲୀରେ ଶ୍ରମଦାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିପରି ପାଟଣାରେ ବିଜେପି ନେତା ରବିଶଙ୍କଣ ପ୍ରସାଦ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ସେପଟେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ । ଖଣ୍ଡଗିରିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ହୋଇଥିଲେ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବହୁ ସମାଜସେବୀ ଏଥିରେ ସାମିଲ ହୋଇ ଏକାଠୀ ସଫେଇ କରିଥିଲେ ।