ଦିଲ୍ଲୀରେ ଚାଲିଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ ।

80

କନକ ବ୍ୟୁରୋ : ଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକରି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ଯୋଗ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ୧୨୪ ଜଣ ସଦସ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇଛନ୍ତି ।

ଏଥିସହ ୩୬ ରାଜ୍ୟର ପଦାଧିକାରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭର୍ଚୁଆଲ ଜରିଆରେ ସାମିଲ ହୋଇଛନ୍ତି । ଏହି ବୈଠକରେ ଆସନ୍ତା ବର୍ଷ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମାନସମନ୍ଥନ କରାଯିବ । ଏଥିସହ ଉପନିର୍ବାଚନରେ ବିଜେପିର ଖଟ୍ଟା ମିଠା ଫଳାଫଳକୁ ନେଇ ସମୀକ୍ଷା କରିବ ଦଳ ।

ଦୁଇ ଦିନ ତଳେ ପ୍ରକାଶିତ ଉପନିର୍ବାଚନରେ ବିଜେପିକୁ ମିଶ୍ରିତ ଫଳାଫଳ ମିଳିଛି । ଆସାମ, ମଧ୍ୟପ୍ରଦେଶରେ ଦଳ ଭଲ କରିଥିଲେ ମଧ୍ୟ, ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗର ପରାଜୟ ଦଳକୁ ଆତ୍ମଚିନ୍ତନ କରିବାକୁ ବାଧ୍ୟ କରିବ । ସେପଟେ ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ଥିବାରୁ, ନିର୍ବାଚନ ରଣନୀତି ସମେତ ବିଭିନ୍ନ ଏଜେଣ୍ଡା ଉପରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।