ଓଡିଶା ଉପରେ ବିଜେପିର ନଜର । ଜାତୀୟ କାର୍ଯ୍ୟକାରିଣୀରେ ସଭାପତି ଅମିତ ଶାହଙ୍କ ବିଜୟ ଫର୍ମୁଲା । କହିଲେ, ଓଡିଶାରେ ସରକାର-ବିରୋଧୀ ହାୱାର ମିଳିବ ଫାଇଦା

39

କନକ ବ୍ୟୁରୋ: ବିଜେପି ଫୋକସରେ ରହିଛି ଓଡିଶା । ଓଡିଶାରେ ସରକାର ବିରୋଧୀ ହାୱା ଅଧିକ ଥିବାରୁ ଏହାର ଫାଇଦା ବିଜେପିକୁ ମିଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । ଶାହା କହିଛନ୍ତି ପୂର୍ବ ନିର୍ବାଚନ ତୁଳନାରେ ବିଜେପିକୁ ଓଡିଶାରେ ଅଧିକ ଭୋଟ୍ ମିଳିବ । ଗତକାଲିଠାରୁ ଆରମ୍ଭ ହୋଇଥିବା ବିଜେପି କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ଆଖି ଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣି, ଅରୁଣ ଜେଟଲୀଙ୍କ ସମେତ ଦେଶର ବହୁ ନେତା ସାମିଲ ହୋଇଥିଲେ ।

ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ହିଁ ଦଳ ଆଗାମୀ ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଇଛି । ତେଣୁ ଆଗାମି ବର୍ଷରେ ଦଳର କୌଣସି ସାଂଗଠନିକ ନିର୍ବାଚନ ନକରିବାକୁ ନିଷ୍ପତି ନିଆଯାଇଛି । ବିଭିନ୍ନ ରାଜ୍ୟର ଅଧ୍ୟକ୍ଷଙ୍କ ସହ ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଅମିତ୍ ଶାହା । ଏହାସହ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅମିତ ଶାହା ଦେଇଛନ୍ତି ବିଜୟମନ୍ତ୍ର । ପୂର୍ବ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ବିଜେପି ଅଧିକ ବହୁମତରେ ବିଜୟ ହାସଲ କରିବ ବୋଲି ଶାହା କହିଛନ୍ତି ।

ଏହାସହିତ ଓଡିଶା ରଣନୀତି ନେଇ ସମୀକ୍ଷା କରାଯାଇଛି । ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ, ବିଧାୟକ ଦଳ ନେତା କେ,ଭି.ସିଂଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଢ଼ଙ୍ଗୀ, ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଉପରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅମିତ୍ ଶାହା ।