ଗାନ୍ଧୀ ବନାମ ଗଡସେକୁ ନେଇ ବିଜେପିରେ ବିବାଦ, ବରୁଣଗାନ୍ଧୀ ଏମିତି ରଖିଲେ ପ୍ରତିକ୍ରିୟା

103

କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତି । ଏହି ଅବସରରେ ସାରା ଦେଶରେ ଲୋକ ମହାତ୍ମା ଗାନ୍ଧୀଙ୍କୁ ମନେପକାଉ ଥିବା ବେଳେ କିଛି ଲୋକ ସୋସିଆଲ ମିଡିଆରେ ‘ଗଡସେ ଜିନ୍ଦାବାଦ’ ଲେଖି ସେୟାର କରୁଛନ୍ତି । ଏହା ବି ଟ୍ୱିଟରରେ ଟ୍ରେଣ୍ଡ ହେବାରେ ଲାଗିଛି । ଏହାକୁ ନେଇ ଅନ୍ୟ କେହି ନୁହେଁ ଖୁଦ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ସେ କହିଛନ୍ତି ଯେ ଆଜିର ଦିନରେ କିଛି ଲୋକ ଗଡସେ ଜିନ୍ଦାବାଦ କହି ଦେଶକୁ ଲଜ୍ଜିତ କରୁଛନ୍ତି ।

ସୂଚନା ଥାଉକି ଏକ ଘଟଣା କ୍ରମେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଗଡସେ ଜାତିରପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏନେଇ ଗଡସେଙ୍କୁ ଭାରତୀୟ ଆଇନ ଫାଶି ଦଣ୍ଡରେ ଦଣ୍ଡିତ କରିଥିଲା    ।

ଗଡସେ ଜିନ୍ଦାବାଦ ନାରା ଟ୍ୱିଟରରେ ଟ୍ରେଣ୍ଡି ହେଉଥିବା ବେଳେ ବରୁଣ ଗାନ୍ଧୀ ବି ଏକ ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ “ଭାରତ ସବୁବେଳେ ଆଧ୍ୟାତ୍ମିକ ମହାଶକ୍ତି ହୋଇ ରହିଛି. ମହାତ୍ମା ଗାନ୍ଧୀ ଦେଶକୁ ଆଧ୍ୟାତ୍ମିକ ଆଧାରରେ ଅସ୍ତିତ୍ୱ ଦେଇଛନ୍ତି, ଯାହାକି ଏବେ ଦେଶର ଲୋକଙ୍କ ପାଇଁ ସବୁଠାରୁ ବଡ ଶକ୍ତି”

କହିରଖୁ କି ସାରା ଦେଶର ଲୋକଙ୍କ ପାଇଁ ଅକ୍ଟୋବର ୨ ତାରିଖ ଅନେକ ଗୁରୁତ୍ୱ ବହନ କରିଥାଏ । ଆଜିର ଦିନରେ ଗୁଜୁରାଟର ପୁରବନ୍ଦର ଠାରେ ମହାତ୍ମା ଗାନ୍ଧୀଙ୍କର ଜନ୍ମ ହୋଇଥିଲା । ଏହି ଦିନକୁ ପ୍ରତିବର୍ଷ ଦେଶର ଲୋକମାନେ ଗାନ୍ଧୀ ଜୟନ୍ତି ଭାବେ ପାଳନ କରିଥାନ୍ତି ।