ସଂସଦରେ ବଲାଙ୍ଗୀର ସାଂସଦଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ! ଟଣାଓଟରା ସହ ମାଡ ମାରିଥିବା ଅଭିଯୋଗ ଆଣିଲେ ସଙ୍ଗୀତା ସିଂହଦେଓ ।

1,398

କନକ ବ୍ୟୁରୋ : ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରମ୍ୟା ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତା । ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ । ଏପରିକି କହୁଣୀକୁ ଧରି ଠେଲାପେଲା କରିବା ସହ ମାଡ ମଧ୍ୟ ମାରିଥିଲେ । ତେବେ ତଳେ ପଡିଯିବା ପୂର୍ବରୁ ବିଜେପି ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ବଞ୍ଚାଇବା ସହ ମାମଲାରେ ହସ୍ତକ୍ଷେପ କରିଥିଲେ । ଆଉ ଏଭଳି ଘଟଣାକୁ ନେଇ ସଙ୍ଗୀତା ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଗଣତନ୍ତ୍ରର ମନ୍ଦିରରେ ଏଭଳି କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ । ଏଥିପାଇଁ ଦୁଇ ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସଙ୍ଗୀତା କହିଛନ୍ତି ।

ସଙ୍ଗୀତା ସିଂହଦେଓ ବଲାଙ୍ଗୀରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ତାଙ୍କୁ ଆକ୍ରମଣ କରିଥିବା ରମ୍ୟା ହରିଦାସ କେରଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଜ୍ୟୋତି ମଣି ତାମିଲନାଡୁରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ଗତକାଲି ରମ୍ୟା ଅଭିଯୋଗ କରିଥିଲେ ଯେ, ତାଙ୍କୁ ରାଜସ୍ଥାନର ଦୌସାରୁ ବିଜେପି ସାଂସଦ ଥିବା ଯଶକୌର ମୀନା ମାଡ ମାରିଛନ୍ତି । ଯେହେତୁ ସେ ଜଣେ ଦଳିତ ଓ ମହିଳା ସାଂସଦ ତେଣୁ ତାଙ୍କୁ ସବୁବେଳେ ଆକ୍ରମଣର ଶିକାର ହେବାକୁ ପଡୁଛି ।