କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ରାଜନୀତି ଉଷ୍ମ ହେଲାଣି । ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ଆଉ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପୁଣିଥରେ ଜିନ୍ନାଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉତ୍ତରପ୍ରଦେଶର ସଲେମପୁର ଲୋକସଭା ଆସନରୁ ବିଜେପି ସାଂସଦ ଥିବା ରବୀନ୍ଦ୍ର କୁଶୱାହା ଏଇଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ ଓୱେସିଙ୍କ ଟାର୍ଗେଟ କରିବା ସହ ବଡ ବୟାନ ଦେଇଛନ୍ତି । ଅସଦୁଦ୍ଦିନଙ୍କୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ତୁଳନା କରିଛନ୍ତି କୁଶୱାହା । ଏହାସହ ଦେଶର ମୁସଲିମ ଭାଇଙ୍କୁ ଓୱେସିଙ୍କ ଠାରୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ।
ଦେଶ ପାଇଁ ଅସଦୁଦ୍ଦିନ ଓୱେସି ବିପଦ ବୋଲି କହିଛନ୍ତି ରବୀନ୍ଦ । ଏହାସହ କୁଶୱାହା କହିଛନ୍ତି ଦେଶରେ ଏବେ ଦ୍ୱିତୀୟ ଜିନ୍ନା ଜନ୍ମ ନେଉଛନ୍ତି, ଯିଏ ଦେଶରେ ବିଭାଜନର ନିଅଁ ରଖୁଛନ୍ତି । ତେଣୁ ଭାରତର ମୁସଲିମ ଭାଇ ମାନଙ୍କୁ ଓୱେସିଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଅସଦୁଦ୍ଦିନ ସବୁବେଳେ ଉତ୍ତେଜନାମୂଳକ ବୟାନ ଓ ଭାଷଣ ଦେଇ ମୁସଲିମ ଭାଇମାନଙ୍କୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି । କିନ୍ତୁ ଦେଶର ମୁସଲିମ ଭାଇ ଓୱେସିଙ୍କ ଠାରୁ ସାବଧାନ ରହିବା ଉଚିତ । କାରଣ ଓୱେସି ବିଭିନ୍ନ ମାଧ୍ୟମରେ ଦେଶକୁ ବିଭାଜନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି, ଯେପରି ମହମ୍ମଦ ଅଲ୍ଲୀ ଜିନ୍ନା କରିଥିଲେ । ଯେଉଁଥିପାଇଁ ସ୍ୱାଧୀନତା ବେଳେ ଭାରତ-ପାକିସ୍ତାନ ଭିନ୍ନ ଭିନ୍ନ ରାଷ୍ଟ୍ର ହୋଇଥିଲେ ।

Advertisment

କୁଶୱାହାଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ବିଜେପି ଜନ ବିଶ୍ୱାସ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ୨୪ ଡିସେମ୍ବରରେ ସଲେପୁରରେ ଗୃହମନ୍ତ୍ରୀ ଅମିତ ଶାହା ଜନ ବିଶ୍ୱାସ ଯାତ୍ରାକୁ ସମ୍ବୋଧିତ କରିବେ । ଉତ୍ତରପ୍ରଦେଶର ୬ଟି ସ୍ଥାନରେ ବିଜେପି ଜନ ବିଶ୍ୱାସ ରଥ ଯାତ୍ରା କରିବ । ଯାହା ଜରିଆରେ ଦଳ ସମସ୍ତ ବିଧାନସଭା ଆସନରେ ପରିକ୍ରମା କରିବାର ଯୋଜନା ରହିଛି ।