କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ହାତ ଟାଣ କରୁଛି କଂଗ୍ରେସ । ଗତ ୨ ଦିନରେ ୨ ବିଜେପି ସାଂସଦ କଂଗ୍ରେସରେ ସାମିଲ ହୋଇଛନ୍ତି । ଯାହା ବିଜେପିକୁ କେବଳ ଝଟକା ଦେଇନି ବରଂ କଂଗ୍ରେସକୁ ବଳ ଯୋଗାଇଛି । ହିସାର ସାଂସଦ ବିଜେପି ଛାଡିବା ପରେ ଏବେ ରାଜସ୍ଥାନ ଚୁରୁରୁ ସାଂସଦ ଥିବା ରାହୁଲ କନସୱା ବିଜେପି ଛାଡି କଂଗ୍ରେସର ହାତ ଧରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ରାହୁଲ କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲ କନସୱା ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହା ଭିତରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଯେଉଁ ତାଲିକାରେ ଅନେକ ସାଂସଦଙ୍କର ଟିକେଟ କାଟିଥିଲା ଦଳ । ଯେଉଁମାନଙ୍କ ଟିକେଟ ବିଜେପି କାଟିଛି ସେମାନଙ୍କ ମଧ୍ୟରୁ ଅନେକ ଦଳର ଏହି ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । କିନ୍ତୁ ରାହୁଲ କନସୱା ଦଳ ଛାଡିବାକୁ ଉଚିତ ମଣିଥିଲେ ଏବଂ କଂଗ୍ରେସରେ ସାମିଲ ହୋଇଛନ୍ତି ।

ରାହୁଲ କଂଗ୍ରେସରେ ସାମିଲ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ରାହୁଲଙ୍କୁ ଦଳକୁ ସ୍ୱାଗତ କରୁଛି । ଯଦି ରାହୁଲଙ୍କ ଭଳି ନିର୍ଭୀକ ନେତା କଂଗ୍ରେସରେ ଯୋଗ ଦିଅନ୍ତି ତେବେ ବିଜେପିର ଅସ୍ତିତ୍ୱ ରହିବନି । ବିଜେପି ବିଭିନ୍ନ ଉପାୟରେ ଧମକ ଓ ଭୟଭୀତ କରିଥାଏ କିନ୍ତୁ ରାହୁଲ କନସୱାଙ୍କ ଭଳି ନେତା କାହାକୁ ଭୟ ନକରି କଂଗ୍ରେସରେ ଯୋଗ ଦେଇଛନ୍ତି ।