ବିଜେପି ସାଂସଦଙ୍କ ବିବାଦୀୟ ବୟାନ । ସଂସଦରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି କହିଲେ ପ୍ରଜ୍ଞା ଠାକୁର ।

246

ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ସଂସଦରେ ନାଥୁରାମ ଗଡସେଙ୍କୁ ଦେଶ ଭକ୍ତ ବୋଲି କହିଛନ୍ତି । ବୁଧବାର ଲୋକସଭାରେ ଏକ ବିତର୍କ ସମୟରେ ପ୍ରଜ୍ଞା ଠାକୁର ଏ ବାବଦରେ କହିଥିଲେ । ଲୋକସଭାରେ ଏସପିଜି ସଂଶୋଧନ ବିଲ ସମୟରେ ଡ଼ିଏମକେ ସାଂସଦ ଏ ରାଜା ନିଜ ରାୟ ରଖିଥିଲେ । ଏ ରାଜା ଗଡସେଙ୍କ ଏକ ବୟାନକୁ ଆଧାର କରି କହିଥିଲେ ଯେ ଗଡସେ କାହିଁକି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ଯେତେବେଳେ ଏ ରାଜା କହୁଥିଲେ ସେହି ସମୟରେ ପ୍ରଜ୍ଞା ଠାକୁର ବିତର୍କ ମଝିରେ କହିଥିଲେ ଯେ ଆପଣ ଜଣେ ଦେଶ ଭକ୍ତଙ୍କ ଉଦାହରଣ ଦେଇପାରିବେ ନାହିଁ ।

ତାଙ୍କ ବୟାନ ପରେ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ତେବେ ପ୍ରଜ୍ଞାଙ୍କ ବୟାନକୁ ଲୋକସଭା ରେକର୍ଡରୁ ହଟାଇ ଦିଆଯାଇଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ବୟାନ ପରେ ପ୍ରଜ୍ଞାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ବିଜେପିର ଶୀର୍ଷ ନେତୃତ୍ୱ ବିଚାର କରୁଛନ୍ତି ।

ଏଠାରେ ସୂଚନା ଥାଉ କି ଏହା ପ୍ରଥମ ଥର ପାଇଁ ନୁହେଁ । ପୂର୍ବରୁ ମେ ମାସରେ ନାଥୁରାମ ଗଡସେଙ୍କୁ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମଏନଏମ୍‌ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ ।