‘ଇସ୍କନ’ ସଂସ୍ଥା ନାମରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ । କହିଲେ, ଏହି ସଂସ୍ଥା ସର୍ବାଧିକ ଗାଈ କଂସେଇକୁ ବିକ୍ରି କରୁଛି
କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା ବା ଇସ୍କନ ସଂସ୍ଥା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀ । ସେ କହିଛନ୍ତି କି ଇସ୍କନ ଦେଶର ସବୁଠାରୁ ବଡ ଠକ ସଂସ୍ଥା ଯେ କି, ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ସେପଟେ ବିଜେପି ସାଂସଦଙ୍କ ଏଭଳି ଅଭିଯୋଗକୁ ଅର୍ଥହୀନ ବୋଲି କହିଛି ଇସ୍କନ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପଶୁ ସୁରକ୍ଷା ପ୍ରସଙ୍ଗରେ ସୋସିଆଲ ମିଡିଆରେ ସବୁବେଳେ ମୁହଁ ଖୋଲିଥାନ୍ତି । ଭାଇରାଲ ହେଉଥିବା ଏକ ଭିଡିଓରେ ସେ କହୁଛନ୍ତି କି, ଇସ୍କନ ହେଉଛି ଦେଶର ସବୁଠାରୁ ବଡ ଠକ ସଂସ୍ଥା । ସଂସ୍ଥା ତରଫରୁ ଗୋ-ଆଶ୍ରୟସ୍ଥଳୀ ରକ୍ଷଣାବେକ୍ଷଣ ନାମରେ ସରକାରଙ୍କ ଠାରୁ ବିପୁଳ ଜମି ସମେତ ଅନେକ ଲାଭ ପାଇଥାଏ । ହେଲେ ସେ ଗୋଶାଳରୁ ଗାଈମାନଙ୍କୁ ନେଇ କଂସେଇଙ୍କୁ ବିକ୍ରି କରିଥାନ୍ତି ।
ଏନେଇ ବିସ୍ତୁତ ଭାବେ ମେନକା ଗାନ୍ଧୀ କହିଛନ୍ତି କି ଗୋଟିଏ ସମୟରେ ସେ ଆନ୍ଧ୍ରପ୍ରଦେଶରେ ଥିବା ଇସ୍କନର ଅନନ୍ତପୁର ଗୋଶାଳାକୁ ଯାଇଥିଲେ । ହେଲେ ସେଠାରେ ଗୋଟିଏ ବି ଗାଈ କିମ୍ବା ବାଛୁରୀ ନାହାଁନ୍ତି । ଅର୍ଥାତ ଏଠାରେ ଥିବା ସମସ୍ତ ଗାଈ ଓ ବାଛୁରୀଙ୍କୁ ସଂସ୍ଥା ପକ୍ଷରୁ କଂସେଇକୁ ବିକ୍ରି କରିଦିଆଯାଇଛି ବୋଲି ମେନକା ଗାନ୍ଧୀ ଅଭିଯୋଗ କରିଛନ୍ତି । ଏନେଇ ଇସ୍କନ ତରଫରୁ ମଧ୍ୟ ସଫେଇ ଦିଆଯାଇଛି । ସଂସ୍ଥା ତରଫରୁ କୁହାଯାଇଛି କି ଇସ୍କନ ଦିକ୍ଷୀତମାନେ ଯେତିକି ଗୋ ସେବା କରିଥାନ୍ତି ଅନ୍ୟ କେହି କରନ୍ତି ନାହିଁ । ହେଲେ ଏହା ଉପରେ ପ୍ରତିଉତର ରଖିଛନ୍ତି ମେନକା ଗାନ୍ଧୀ । ସେ ସଂସ୍ଥାକୁ କଟାକ୍ଷ କରି କହିଛନ୍ତି କି, ଏମାନେ ରାସ୍ତାରେ ବୁଲି ବୁଲି ହରେ କୃଷ୍ଣ ହରେ ରାମ ମନ୍ତ୍ର ଜପ କରିଥାନ୍ତି । ଏହାସହ ଇସ୍କନ ଦିକ୍ଷୀତମାନେ କହିଥାନ୍ତି ସେମାନଙ୍କର ପୂରା ଜୀବନ କ୍ଷୀର ଉପରେ ନିର୍ଭରଶୀଳ । ହେଲେ ଏହି ସଂସ୍ଥା ତରଫରୁ କଂସେଇକୁ ଯେତିକି ଗାଈ ବିକ୍ରି କରାଯାଉଛି ଅନ୍ୟ କେହି କରନ୍ତି ନାହିଁ ବୋଲି ମେନକା ଗାନ୍ଧୀ ଦାବି କରିଛନ୍ତି ।
ମେନକାଙ୍କ ଅଭିଯୋଗକୁ ଖଣ୍ଡନ କରି ଇସ୍କନର ରାଷ୍ଟ୍ରୀୟ ମୁଖପାତ୍ର ଯୁଧିଷ୍ଟିର ଗୋବିନ୍ଦ ଦାସ କହିଛନ୍ତି କି, କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଗାଈ ଓ ଷଣ୍ଢମାନଙ୍କର ଯତ୍ନ ନେବାରେ ଧାର୍ମିକ ସଂସ୍ଥାମାନେ ଅଗ୍ରଣୀ ଭୂମିକା ବହନ କରୁଛନ୍ତି । ଗାଈ ଓ ଷଣ୍ଢମାନଙ୍କୁ ସାରାଜୀବନ ପାଳନ କରାଯାଏ, ହେଲେ ଏହାକୁ କଂସେଇମାନଙ୍କ ହାତକୁ ଟେକିଦିଆଯାଏ ନାହିଁ । ମେନକାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।
Response to the unsubstantiated and false statements of Smt Maneka Gandhi.
ISKCON has been at the forefront of cow and bull protection and care not just in India but globally.
The cows and bulls are served for their life not sold to butchers as alleged. pic.twitter.com/GRLAe5B2n6
— Yudhistir Govinda Das (@yudhistirGD) September 26, 2023
ଇସ୍କନ ତରଫରୁ ସେୟାର କରାଯାଇଥିବା ଏକ ବୟାନରେ କୁହାଯାଇଛି କି, ଇସ୍କନ ବିଶ୍ୱର ଅନେକ ସ୍ଥାନରେ ଗୋରକ୍ଷାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାସହ ଯେଉଁଯେଉଁ ଦେଶରେ ଗୋମାଂସ ଏକ ପ୍ରମୁଖ ଖାଦ୍ୟ ଅଟେ ସେହିସବୁ ଦେଶରେ ମଧ୍ୟ ଇସ୍କନ ତରଫରୁ ଗୋରକ୍ଷା କାର୍ଯ୍ୟ କରାଯାଉଛି । ଏଭଳି ସ୍ଥଳେ ମେନକା ଗାନ୍ଧୀଙ୍କ ଭଳି ଜଣେ ପଶୁପ୍ରେମୀଙ୍କ ଏଭଳି ବୟାନ ଆମକୁ ଆଶ୍ଚର୍ଯ୍ୟ କରୁଛି ବୋଲି ବୟାନରେ କୁହାଯାଇଛି ।