ବିଧାନସଭା ନିର୍ବାଚନରେ ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ବିଜେପି ମୋଟ ୨୧ ସାଂସଦଙ୍କୁ ବିଧାୟକ ଭାବେ ଲଢିବା ପାଇଁ ସ୍ଥିର କରି ଟିକେଟ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ବିଜୟ ଲାଭ କରିଛନ୍ତି ଏବଂ ବାକି ୯ ଜଣ ସାଂସଦ ନିର୍ବାଚନରେ ପରାଜୟ ବରଣ କରିଛନ୍ତି ।
ବାବା ବାଲାକ ନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । କାରଣ ସେ ଦୁଇଜଣ ଆଜି ଲୋକସଭାକୁ ଆସିନାହାଁନ୍ତି । ଏହି ଦୁଇ ସାଂସଦ ମଧ୍ୟ ଖୁବ ଶୀଘ୍ର ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ବିଧାନସଭା ନିର୍ବାଚନରେ ନିଜର ସାଂସଦମାନଙ୍କୁ ଟିକେଟ ଦେଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ବିଜେପିର ଏହି ଯୋଜନା ସଫଳ ହେଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ବୈଠକରେ ବିଜେପି ସଭାପତି ଜେପି ନାଡା ଏହି ସାଂସଦମାନଙ୍କ ପ୍ରତିନିଧିତ୍ୱ କରିଥିଲେ । ବିଧାନସଭା ନିର୍ବାଚନରେ ଜିତିଥିବା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନାଡାଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ।