କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ପ୍ରତିଦିନ ଶାସକ ଓ ବିପକ୍ଷଙ୍କ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି । ଯାହା ନିର୍ବାଚନ ମାହୋଲକୁ ଉଷ୍ମ କରୁଛି । ପ୍ରବଳ ଥଣ୍ଡାରେ ନିର୍ବାଚନୀ ପାରା ଉପରକୁ ଚଢୁଥିବା ବେଳେ କେସରଗଞ୍ଜରୁ ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂ ଏହି ମାହୋଲର ତାତିକୁ ବଢାଇଛନ୍ତି । କାରଣ ବିଜେପି ପକ୍ଷରୁ ଆରମ୍ଭ ହେବାକୁ ଥିବା ଜନବିଶ୍ୱାସ ଯାତ୍ରାରେ ସାମିଲ ହେବାକୁ ଏବେ ହେଲିକପ୍ଟରକୁ ସାଥୀ କରିଛନ୍ତି ବ୍ରିଜଭୂଷଣ । ମହାରାଜା ଆଭିଏସନ ପ୍ରାଇଭେଟ ଲିମିଟେଡ କମ୍ପାନି ଠାରୁ ବ୍ରିଜଭୂଷଣ ହେଲିକପ୍ଟର ଭଡାରେ ଆଣିଥିବା ସୂଚନା ମିଳିଛି । ଆଉ ସ୍ଥାନୀୟ ପ୍ରଶାସନ ମଧ୍ୟ ବ୍ରିଜଭୂଷଣଙ୍କ ପୈତୃକ ଗାଁରେ ହେଲିକପ୍ଟର ଉଡାଣ ଓ ଅବତରଣକୁ ଅନୁମତି ଦେଇଥିବା ଜଣାପଡିଛି ।
ବିଜେପି ସାଂସଦ ବ୍ରିଜଭୂଷଣ ୧୮ ଦିନ ପାଇଁ ହେଲିକପ୍ଟରକୁ ଭଡା ସୂତ୍ରରେ ଆଣିଛନ୍ତି । ଜନବିଶ୍ୱାସ ଯାତ୍ରାରେ ଅଧିକରୁ ଅଧିକ ସ୍ଥାନରେ ପହଞ୍ଚିବାକୁ ସାଂସଦଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜାଣିବାକୁ ମିଳିଛି । ୨୮ ଡିସେମ୍ବରରୁ ଆସନ୍ତା ୧୪ ଜାନୁଆରୀ ପର୍ଯ୍ୟନ୍ତ ହେଲିକପ୍ଟରକୁ ଭଡା ସୂତ୍ରରେ ଅଣାଯାଇଛି । ହେଲିକପ୍ଟରର ଉଡାଣ ଓ ଅବତରଣ ପାଇଁ ହେଲିପ୍ୟାଡ ମଧ୍ୟ ନିର୍ମାଣ ସରିଛି । ପ୍ରତିଦିନ ଜନବିଶ୍ୱାସ ଯାତ୍ରା ଶେଷ ହେବା ପରେ ହେଲିକପ୍ଟରକୁ ବ୍ରିଜଭୂଷଣଙ୍କୁ ନିଜ ପୈତୃକ ଗାଁକୁ ଅଣାଯିବ । ୨ଟି ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟରର ଘଣ୍ଟାକୁ ଭଡା ଦେଢ ଲକ୍ଷ ଟଙ୍କା ବୋଲି ଜାଣିବାକୁ ମିଳିଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଜନବିଶ୍ୱାସ ଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସାଂସଦ ବ୍ରିଜଭୂଷଣ ହେଲିକପ୍ଟର ଭଡାରେ ଆଣିଛନ୍ତି । ଏହି ହେଲିକପ୍ଟରକୁ ସୁରକ୍ଷା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ବ୍ରିଜଭୂଷଣ ।