ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିବାଦୀୟ ବୟାନ । ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହି ହରଡ଼ଘଣାରେ ହେଗଡେ, କଂଗ୍ରେସ କହିଲା ସ୍ପଷ୍ଟୀକରଣ ରଖନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

150

କନକ ବ୍ୟୁରୋ: ବିଜେପି ସାଂସଦ ଅନନ୍ତ କୁମାର ହେଗେଡଙ୍କ ବିବାଦୀୟ ବୟାନକୁ ନେଇ ବ୍ୟାକଫୁଟରେ ବିଜେପି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହିଥିଲେ ବିଜେପି ସାଂସଦ । ତାଙ୍କର ଏହି ବୟାନକୁ ନେଇ ବିଜେପିର ଶ୍ରେଷ୍ଠ ନେତୃତ୍ୱ ଖପ୍ପା ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏପରିକି ସେ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଶ୍ରେଷ୍ଠ ନେତୃତ୍ୱ ଚାହୁୁଥିବା ଆଲୋଚନା ହେଉଛି ।

ସେପଟେ କଂଗ୍ରେସ ନେତା ବ୍ରଜେଶ କଲପ୍ପା ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଅନନ୍ତ ହେଗଡେଙ୍କ ସ୍ୱାସ୍ଥ୍ର ପରୀକ୍ଷା କରାଯାଉ ଏବଂ ସେ ସୁସ୍ଥ ଥିଲେ ଆଇନ ଅନୁଯାୟୀ ଏହି ବୟାନ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲେଖିଛନ୍ତି କଂଗ୍ରେସ ନେତା । ସେହିପରି ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଆସି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି । ବାଙ୍ଗାଲୁରର ଏକ ସଭାକୁ ସମ୍ବୋଧିତ କରି ହେଗଡେ କହିଥିଲେ, ବ୍ରିଟିଶ ସରକାରଙ୍କ ସହଯୋଗରେ ଆନ୍ଦୋଳନ କରି କିପରି ସେ ମହାତ୍ମା ହୋଇପାରିଲେ? ତେଣୁ ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ ଏକ ପ୍ରସହନ ବୋଲି କହିଥିଲେ ଅନନ୍ତ ହେଗଡେ ।

ସେହିପରି କିଛି ତଥା କଥିତ ସ୍ୱାଧିନତା ସଂଗ୍ରାମୀ ଦିନେ ବି ବ୍ରିଟିଶର ଲାଠିମାଡ ଖାଇ ନାହାନ୍ତି । ମାତ୍ର ନିଜକୁ ସ୍ୱାଧିନତା ସଂଗ୍ରାମୀ ବୋଲାଉଛନ୍ତି । ସେମାନଙ୍କ ସ୍ୱାଧିନତା ସଂଗ୍ରାମ ଗୋଟିଏ ବଡ ଡ୍ରାମା ବୋଲି କହିଥିଲେ ଅନନ୍ତ ହେଗଡେ । ଗାନ୍ଧୀଙ୍କ ସ୍ୱାଧିନତା ସଂଗ୍ରାମ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ହେଉଥିବାରୁ ଏହା ପ୍ରକୃତ ସ୍ୱାଧିନତା ସଂଗ୍ରାମ ନୁହେଁ । ଏହା ଏକ ଲୋକଦେଖାଣିଆ ସ୍ୱାଧିନତା ସଂଗ୍ରାମ ବୋଲି କହିଥିଲେ ହେଗଡେ ।