କନକ ବ୍ୟୁରୋ: ହିଞ୍ଜିଳି ପରିବର୍ତ୍ତେ ଅନ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ଝଡ଼ ଥମିବାର ନାଁ ଧରୁନି। ଗତକାଲି ପୁଣି ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କର୍ଣ୍ଣାଟକରେ ମଧ୍ୟ ଏମିତି ଚିଠି ଜାଲିଆତି କରାଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି। ଉଭୟ ଦଳ ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିଜ ନିଜର ଦାବି ଜଣାଇଛନ୍ତି। ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଏହି ଚିଠିକୁ ନେଇ କମିସନରେଟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଏ ନେଇ ଖାରବେଳନଗର ଥାନାରେ କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ନ ଥିଲେ ହେଁ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେପି ନେତାଙ୍କୁ ପଚରାଉଚରା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି , ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଯୁବ ମୋର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ବିଜେପିର ମିଡିଆ ସେଲ୍କୁ ଏହି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ। ସେମାନେ ଥାନାରେ ହାଜର ହୋଇ ସେହି ଜାଲ କାଗଜପତ୍ର କେଉଁଠୁ ପାଇଲେ ସେ ସମ୍ପର୍କରେ ତଥ୍ୟ ଦେବେ। ଏଭଳି ଜାଲ କାଗଜପତ୍ର ଗଣମାଧ୍ୟମକୁ ଦେବାର ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ ପଚରାଉଚରା କରାଯିବ। ଏଭଳି ଜାଲ କାଗଜପତ୍ର କେଉଁଠି ପ୍ରସ୍ତୁତି ହୋଇଛି ସେ ନେଇ ମଧ୍ୟ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।
ପୁଲିସ କମିସନର ଆହୁରି କହିଛନ୍ତି, ଯେଉଁ କାଗଜ ବିଜେପି ନେତାମାନେ ଗଣମାଧ୍ୟମକୁ ଦେଖାଇଥିଲେ ସେଥିରେ ଥିବା ଦସ୍ତଖତ ଜାଲ। ତାରିଖ ମଧ୍ୟ ନାହିଁ। ଯେଉଁ ଚିଠି ନମ୍ବର ପଡ଼ିଛି ଗୁଇନ୍ଦା ବିଭାଗ ସେଭଳି କୌଣସି ନମ୍ବର ପକାଇ ନ ଥାଏ। ତେଣୁ ସେହି କାଗଜକୁ ଜବତ କରାଯିବ ସହିତ, ଫୋରେନ୍ସିକ ଯାଞ୍ଚ ପାଇଁ ପଠାଯିବ। ଏଭଳି ଜାଲ କାଗଜପତ୍ର କେଉଁଠୁ ପ୍ରସ୍ତୁତ ହୋଇଛି ତାହା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଡିଜି ଟୁଇଟ୍ କରି ଜଣାଇଥିଲେ କି, ଏହା ଏକ ଜାଲ ଚିଠି। ଫଳରେ ଏହି ମାମଲାଟି ରୋଚକ ମୋଡ ନେଇଛି।
ହାରିଯିବେ ବୋଲି ମିଛ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି: ଜବାବ ଦେଲା ବିଜେପି
ବିଜେଡି ମୁଖପାତ୍ର ପ୍ରତାପ ଦେବ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଗତକାଲି ବିଜେପି ଗୁଇନ୍ଦା ରିପୋର୍ଟ ନାଁରେ ଦେଖାଇଥିବା କାଗଜ ସମ୍ପୂର୍ଣ୍ଣ ନକଲି ଓ ଜାଲିଆତି କରି ପ୍ରସ୍ତୁତ କରାଯାଇଛି। ବିଜେଡି ସଭାପତିଙ୍କ ସୁନାମରେ ଆଞ୍ଚ୍ ଆଣିବା ପାଇଁ ବିନା ଯାଞ୍ଚ୍ରେ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଏହି ଚିଠିକୁ ଦେଖାଉଛି। ମିଥ୍ୟା ତଥ୍ୟକୁ ନେଇ ଭୋଟର୍ଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଏହା ଏକ ଅପରାଧମୂଳକ ଷଡ଼ଯନ୍ତ୍ର। ଏକ ଜାତୀୟ ଦଳର ନେତାମାନଙ୍କର ଏପରି କାରସାଦି ନିନ୍ଦନୀୟ। ବାସ୍ତବରେ ଓଡ଼ିଶାରେ ପ୍ରଦର୍ଶିତ ହେଉଥିବା ଚିଠି ଓ କର୍ଣ୍ଣାଟକରେ ପ୍ରଦର୍ଶିତ ହୋଇଥିବା ଚିଠି ମଧ୍ୟରେ ବହୁ ସାମଞ୍ଜସ୍ୟ ଅଛି। ଚିଠି ଫର୍ମାଟ୍, ନମ୍ବର ଓ ଟାର୍ଗେଟ୍ ହୋଇଥିବା ବ୍ୟକ୍ତି ସମସ୍ତେ ସମାନ। ଓଡ଼ିଶା ପରି କର୍ଣ୍ଣାଟକରେ ମଧ୍ୟ ବିଜେପି ଏହାକୁ ପ୍ରଚାରର ମାଧ୍ୟମ ଭାବେ ବ୍ୟବହାର କରିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାରେ ବିଜେପି ହାରିଯିବା ଭୟରେ ଏପରି ମିଥ୍ୟାର ଆଶ୍ରୟ ନେଉଛି। ତେଣୁ ତୁରନ୍ତ ଏପରି ଅପରାଧ କରିଥିବା ବ୍ୟକ୍ତି ଓ ଦଳ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି।
ଅପର ପକ୍ଷରେ ବିଜେପି ବି ଏହି ପ୍ରସଙ୍ଗରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଜେଡିଏସ୍ ଆଣିଥିଲା, ବିଜେପି ନୁହେଁ। ସମ୍ପୂର୍ଣ୍ଣ ତଥ୍ୟ ହାସଲ ନ କରି ତରବରିଆ ଭାବେ ବିଜେଡି େଯପରି ସାମ୍ବାଦିକ ସମ୍ମିଳନୀ କରିଲା, ସେଥିରୁ ଲାଗୁଛି ସେମାନେ ବିଜେପିକୁ ନେଇ ଭୟଭୀତ ଅଛନ୍ତି। ପୁଲିସ୍ ଡିଜି ବିରୋଧୀ ଦଳକୁ ନାଲି ଆଖି ଦେଖାଇବା ବନ୍ଦ କରନ୍ତୁ। ଯଦି ସାହସ ଅଛି ତ ବିଜେପିକୁ ବାନ୍ଧନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ବାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବେର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଘଟଣାର ତଦନ୍ତ ସିବିଆଇ କିମ୍ବା ଏନ୍ଆଇଏ ଦ୍ବାରା କରାଇବାକୁ ଦାବି କରିଛନ୍ତି।
Follow Us/kanak/media/post_attachments/wp-content/uploads/2019/03/vlcsnap-2019-03-20-09h21m59s036-300x220.png)
/kanak/media/post_attachments/wp-content/uploads/2019/03/38471324_2011566192195508_6611488418545270784_n-300x200.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-20-09h21m50s589-300x220.png)