ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ : ଅଧିବେଶନ ଶେଷ ଯାଏଁ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ନିଲମ୍ବିତ
କନକ ବ୍ୟୁରୋ : ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଚିତ୍ର । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡି ବିଧାନସଭାର ବାକି ଅଧିବେଶନରୁ ସସପେଣ୍ଡ ହୋଇଛନ୍ତି ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ । ଏହା ପୂର୍ବରୁ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ, ବିରୋଧୀ ଦଳ ନେତାଙ୍କୁ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା ବୋଲି ଆକ୍ଷେପ କରିଥିଲେ । ଆଉ ଏହି ଶଦ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରି ଅପରାହ୍ନରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକମାନେ । କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଏହାକୁ ବିରୋଧ କରି ପଲିଥିନରେ ଆଣିଥିବା ଡାଲି ଦେଖାଇଥିଲେ ବିଜେପି ସଦସ୍ୟ ଓ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫୋପାଡିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ସସ୍ପେଣ୍ଡକୁ ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ବାଚସ୍ପତି ପକ୍ଷପାତିତା କରୁଛନ୍ତି । ସେ ଦଳର କର୍ମକତା ଭାବେ କାମ କରୁଛନ୍ତି । ବାଚସ୍ପତି ନିଜେ ସସପେଣ୍ଡ ହେବା କଥା ବୋଲି ବିରୋଧୀ ଦଳ ନେତା କହିଥିଲେ । ସେପଟେ ବିଜେଡି ଘଟଣାକୁ ଦୁର୍ଭାଗ୍ୟଜନକ କହିଛି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତିଙ୍କ ପ୍ରତି ଏଭଳି ଆଚରଣ ନିନ୍ଦନୀୟ । ଅପରପକ୍ଷେ ବାଚସ୍ପତି କହିଛନ୍ତି, ବିଜେପି ବିଧାୟକଙ୍କ ଆଚରଣରେ ଗୃହର ସଦସ୍ୟମାନେ କ୍ଷୁବ୍ଧ ହୋଇଛନ୍ତି । ସମ୍ବିଧାନର ନିୟମ ଅନୁସାରେ ସବୁ କରାଯାଇଛି ।