ପଶ୍ଚିମବଙ୍ଗରେ ବିଜେପିକୁ ଝଟକା , ଟିଏମସିରେ ଯୋଗଦେଲେ ବିଷ୍ଣୁପୁର ବିଜେପି ବିଧାୟକ ତନ୍ମୟ ଘୋଷ

124

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ଭିତରେ ଚାଲିଥିବା ଶତ୍ରୁତା ଭିତରେ ଆଜି ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଝଟକା ଦେଇଛନ୍ତି । ବିଜେପି ଟିକେଟରୁ ନିର୍ବାଚନ ଲଢି ବିଷ୍ଣୁପୁର ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିବା ତନ୍ମୟ ଘୋଷ ଆଜି ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି ।

କହିରଖୁ କି ତନ୍ମୟ ଘୋଷ ବିଜେପିରୁ ବିଧାୟକ ହେବା ପୂର୍ବରୁ ବିଷ୍ଣୁପୁର କ୍ଷେତ୍ରରେ ସେ ଟିଏମସିର ଟାଉନ ଯୁବ ସଭାପତି ଥିଲେ । ସେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢି ଟିଏମସିର ଅର୍ଚ୍ଚିତାଙ୍କୁ ପରାଜିତ କରିଥିଲେ ।

ଏବେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିସାଂ ମାମଲାରେ ସିବିଆଇ ଓ ଏସଆଇଟି ଯାଂଚ ଆରମ୍ଭ କରିଛି । ସିବିଆଇ ପ୍ରାଥମିକ ଯାଂଚ କରିବା ପୂର୍ବରୁ ଟିଏମସିର ବିଭିନ୍ନ ନେତାଙ୍କ ନାମରେ ଅଭିଯୋଗ ଦାଖଲ କରିଛି । ଅନ୍ୟପଟେ କୋଇଲା ଦୁର୍ନୀତି ମାମଲାରେ ଇଡି ବି ମମତା ବାନାର୍ଜୀଙ୍କ ଭଣଜା କୁହାଯାଉଥିବା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ନୋଟିସ ଜାରି କରିଛି । ଏହାକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାକ୍ୟୁଦ୍ଧ ଚାଲିଛି । ଇଡିର ସମନ ପରେ ଅଭିଷେକ ବାନାର୍ଜୀ ସିଧା ସିଧା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବର୍ଷିବା ସହ ବିଜେପିକୁ ଦେଶରୁ ନହଟାଇବା ଯାଏ ଲଢେଇ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଏହାରି ଭିତରେ ମମତା ବାନାର୍ଜୀଙ୍କ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ନେତାମାନଙ୍କୁ ଦଳ ପୁଣିଥରେ ଫେରାଇଆଣିବାକୁ ଚେଷ୍ଟା କରି ବିଜେପି ଉପରେ ପ୍ରତିଶୋଧ ନେବାକୁ ପ୍ରୟାସ କରୁଛି ।

ସୂଚନା ଥାଉକି ବିଜେପିର କଳ ,ବଳ କୌଶଳକୁ ପ୍ରତିହତ କରି ୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ବହୁମତ ହାସଲ କରିଥିଲା । ୨୯୦ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ମମତାଙ୍କୁ ୨୧୩ ଟି ଆସନ ମିଳିଥିବା ବେଳେ ବିଜେପି ମାତ୍ର ୭୭ ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା ।