କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ତୁଣ୍ଡ ସେତିକି ହୁରୁଡୁଛି । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ନେତା । ଆଉ ଏହାରି ମଧ୍ୟରେ ଗୁଜୁରାଟର ଜଣେ ବିଜେପି ବିଧାୟକଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିଜେପି ବିଧାୟକ ଜଣଙ୍କ ମତଦାତାଙ୍କୁ ଚେତାବନୀ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

ବିବାଦ ଘେରକୁ ଆସିଥିବା ଏହି ବିଜେପି ବିଧାୟକଙ୍କ ନାଁ ହେଉଛି ରମେଶ କଟାରିୟା । ବିଧାୟକ ଜଣଙ୍କ କହିଛନ୍ତି, ‘ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଫିଟ୍ କରିଛନ୍ତି । ଯାହା ଫଳରେ ମୋଦି ଦେଖିପାରିବେ, କିଏ ବିଜେପିକୁ ଭୋଟ୍ ଦେଉଛି ଆଉ କିଏ କଂଗ୍ରେସକୁ ଭୋଟ୍ ଦେଉଛି । ଦିଲ୍ଲୀରେ ବସି ସବୁ କିଛି ଦେଖିପାରିବେ ମୋଦି । ଯଦି କୌଣସି ବୁଥରେ ବିଜେପିର ଭୋଟ୍ ହାର କମିବ ତେବେ ସମ୍ପୃକ୍ତ ଅଞ୍ଚଳରେ କେନ୍ଦ୍ରୀୟ ସରକାରୀ ସହାୟତା ମଧ୍ୟ କମିବ ।’

publive-imageଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦାହୋଦ ଲୋକସଭା କ୍ଷେତ୍ରରେ ଏକ ନିର୍ବାଚନୀ ରାଲି କରୁଥିବା ସମୟରେ ଏଭଳି ବିବାଦୀୟ ବୟାନ ଦେଇଥିଲେ ବିଜେପି ବିଧାୟକ ରମେଶ କଟାରା । ତେବେ ସେ ଏହି ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇବାଥିବା ବିଜେପି ପ୍ରାର୍ଥୀ ଜସବନ୍ତସିଂହ ଭାଭୋରଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ । ଏହି ଲୋକସଭା ଆସନରୁ ବାବୁ କଟାରା କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇଛନ୍ତି । ଏହି ସଂସଦୀୟ କ୍ଷେତ୍ର ଆଦିବାସୀ ବହୁଳ ଅଞ୍ଚଳ ଅଟେ । ଗୁଜୁରାଟର ସମସ୍ତ ୨୬ଟି ଆସନରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଭୋଟ୍ ପଡିବ । ତେବେ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କ ଏଭଳି ସାଂଘାତିକ ବୟାନ ଏବେ ଭାଇରାଲ ହେଉଥିବା ବେଳେ, ନିର୍ବାଚନରେ ଏହା କେତେ ପ୍ରଭାବ ପକାଇବ ତାହା ସମୟ ହିଁ କହିବ ।