ସଙ୍କଟ ଟଳିଲା ରାତିକ ପାଇଁ ! ୟେଦ୍ୟୁରପ୍ପା କହିଲେ, ଛାଡିବୁନି ବିଧାନସଭା,ରାତି ସାରା ଶୋଇବୁ ।

436

କନକ ବ୍ୟୁରୋ : ନୂଆ ମୋଡରେ କର୍ଣ୍ଣାଟକ ନାଟକ । ଦୀର୍ଘ ଏକ ମାସ ଧରି ଲାଗି ରହିଥିବା କର୍ଣ୍ଣାଟକ ନାଟକ ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଏହି ନାଟକରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ଆସ୍ଥା ଭୋଟ ହୋଇପାରିନାହିଁ । ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ଆଜି ରାତି ପାଇଁ କୁମାରସ୍ୱାମୀ ସରକାରଙ୍କ ଉପରୁ ସଙ୍କଟ ଟଳିଛି । ଏହାପୂର୍ବରୁ ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଏହାକୁ ଖାତିର ନକରି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆଉ ଏହାସହ ଆଜି ରାତିକ ପାଇଁ ମଉଳିଛି ଆସ୍ଥା ଭୋଟ ପରୀକ୍ଷା ।

ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିରୋଧ କରିଛି ବିଜେପି । କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାର ନିଶ୍ଚୟ ପରାଜୟ ହେବେ । ଏନେଇ ଆମେ ୧୦୧ ପ୍ରତିଶତ ଆଶ୍ୱସ୍ତ ରହିଛୁ । କୁମାରସ୍ୱାମୀ ସରକାର ଏବେ ବହୁମତ ହରାଇ ସାରିଛି । ସଦନରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ କିନ୍ତୁ ବିଜେପି ୧୦୫ ସଦସ୍ୟଙ୍କ ସହ ବଡ ଦଳ ଭାବେ ଉଭା ହୋଇଛି । ତେଣୁ ଆଜି ରାତି ୧୨ଟା ବାଜି ଯାଉ ପଛେ ଆସ୍ଥାଭୋଟ ନିଶ୍ଚୟ ହେବ ବୋଲି କହିଥିଲେ ୟେଦ୍ୟୁରପ୍ପା । କିନ୍ତୁ ବାଚସ୍ପତିଙ୍କ ନିଷ୍ପତି ପରେ ବିଜେପିକୁ ବଡ ଝଟକା ଲାଗିଛି ।

ବାଚସ୍ପତିଙ୍କ ନିଷ୍ପତିକୁ ବିରୋଧ କରିବା ସହ ବିଧାନସଭାରେ ରାତି ସାରା ବିଜେପି ବିଧାୟକ ଧାରଣାରେ ବସିବେ ବୋଲି କହିଛନ୍ତି ୟେଦ୍ୟୁରପ୍ପା । ଏହାସହ ରାତିସାରା ବିଧାନସଭାରେ ଶୋଇବୁ ବୋଲି କହିଛନ୍ତି ୟେଦ୍ୟୁରପ୍ପା । ସେଥିପାଇଁ ଗୃହରେ ବିଜେପି ବିଧାୟକଙ୍କ ପାଇଁ ଖାଇବା ଓ ଶୋଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ୟେଦ୍ୟୁରପ୍ପା ।