କେରଳ ବିଧାନସଭାରେ ଅଜବ ଘଟଣା । କୃଷି କାନୁନ ବିରୋଧରେ ପାରିତ ବିଲକୁ ବିଜେପି ବିଧାୟକଙ୍କ ସମର୍ଥନ । ଦଳ କହିଲା ଏହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

309

କନକ ବ୍ୟୁରୋ : କେରଳ ବିଧାନସଭାରେ କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ପରିସରରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଏଭଳି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ପି. ଭିଜୟନ । ମୁଖ୍ୟମନ୍ତ୍ରୀ ଏଭଳି ପ୍ରସ୍ତାବ ଆଣିବା ପରେ ଏହାକୁ ସରକାରରେ ଥିବା ସିପିଆଇଏମ, ସିପିଆଇ ଓ କଂଗ୍ରେସ ବିଧାୟକ ମାନେ ସମର୍ଥନ ଜଣାଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହି ପ୍ରସ୍ତାବକୁ ବି କେରଳର ଏକମାତ୍ର ବିଜେପି ବିଧାୟକ ଓ.ରାଜଗୋପାଲ ବି ସମର୍ଥନ ଜଣାଇଛନ୍ତି । ତାଙ୍କ ସମର୍ଥନ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ତା’ର ପ୍ରତିକ୍ରିୟା ରଖିଛି । କେରଳ ବିଜେପି ନେତା କେ.ଏମ୍. ରାଧାକୃଷ୍ଣନ କହିଛନ୍ତି କି ‘ମୁଁ ଜାଣିପାରୁ ନାହିଁ ରାଜଗୋପାଲଙ୍କ ଭଳି ଜଣେ କଟ୍ଟର ବିଜେପି ନେତା କିଭଳି ଭାବେ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ପ୍ରସ୍ତାବକୁ ସମର୍ଥନ ଜଣାଇଲେ’ । ସେ ଆହୁରି କହିଛନ୍ତି କି ସମସ୍ତେ ଜାଣିଛନ୍ତି ଏକମାତ୍ର ବିଧାୟକଙ୍କ କଥାରେ କିଛି ହୋଇପାରିବ ନାହିଁ । ହେଲେ ସେ ଚାହିଁଥିଲେ ଏହା ଉପରେ ଅଭିଯୋଗ କରିପାରିଥା’ନ୍ତେ ହେଲେ ରାଜଗୋପାଲନ ଯାହା କଲେ ତାହା ବିଜେପି ବିରୋଧରେ କାର୍ଯ୍ୟ କରିବା ସଂଗେ ସମାନ ବୋଲି ରାଧାକୃଷ୍ଣନ କହିଛନ୍ତି ।
ରାଧାକୃଷ୍ଣନଙ୍କର ଏଭଳି ବୟାନ ପରେ କେରଳ ବିଜେପି ବିଧାୟକ ରାଜଗୋପାଲନ୍ କହିଛନ୍ତି କି ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ପାରିତ କରାଗଲା । ମୁଁ କିଛି ବିନ୍ଦୁ ଉପରେ ମୋର ପକ୍ଷ ରଖିଥିଲି ଓ ବିଚାରଧାରାରେ ଅନ୍ତର ଥିବାରୁ ଗୃହରେ ଏହା ଉପରେ ଆଲୋଚନା ହୋଇଥିଲା । ସବୁପରେ ସେ ଏହି କୃଷି ଆଇନକୁ ବିରୋଧ କରିବା ସହ କେରଳ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିବା କଥା କହିଛନ୍ତି । ସେ ଆହୁରି କହିଛନ୍ତି କି ଯେତେଶୀଘ୍ର କେନ୍ଦ୍ରସରକାର ଏହି ୩ ଟି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିନେବେ ତାହା ବିଜେପି ପାଇଁ ମଙ୍ଗଳ ହେବ । ନଚେତ ଲୋକତନ୍ତ୍ର ବୋଲି ଦେଶରେ କିଛି ବଞ୍ଚିବ ନାହିଁ ।
ଯେତେବେଳେ ରାଜଗୋପାଲଙ୍କୁ ପଚରା ଯାଇଥିଲା କି ଆପଣ ଏଭଳି କରିବା ଦ୍ୱାରା ଆପଣ ଦଳ ବିରୋଧି କାର୍ଯ୍ୟ କରୁନାହାନ୍ତି କି ? । ଏହାର ଉତ୍ତର ଦେଇ ସେ କହିଥିଲେ କି ଏହା ଲୋକତନ୍ତ୍ର ପ୍ରଣାଳୀ , ଆମକୁ ସର୍ବ ସମ୍ମତିକ୍ରମେ ଗୃହିତ ହୋଇଥିବା ପ୍ରସ୍ତାବକୁ ସମ୍ମାନ ଦେବା ଆବଶ୍ୟକ ।
କହିରଖୁ କି କେରଳ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ସାରା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ସରକାର ବି ଏକ ସ୍ୱତନ୍ତ୍ର ବୈଠକ ଡକାଇ କୃଷି କାନୁନ୍ କୁ ବିଧାନସଭା ପରିସରରେ ଚିରି ଦେଇଥିବା ଦେଖିବାକୁ ମଳିଥିଲା ।