ବିଜେପି ବିଧାୟକ କହିଲେ, ସୁପ୍ରିମକୋର୍ଟ ଆମର । ନିଶ୍ଚିତ ନିର୍ମାଣ ହେବ ରାମ ମନ୍ଦିର

33

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତିକି ଜୋର ଧରୁଛି । ଆଉ ଏହି ବୟାନବାଜି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ପୁଣି ଜଣେ ବିଜେପି ନେତା । ଖାସକରି ରାମ ମନ୍ଦିର ନିର୍ମାଣକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ସୁପ୍ରିମକୋର୍ଟରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ବିଚାରଧୀନ ଥିବା ବେଳେ ଏହାକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ପରେ ଏବେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ମୁକୁଟ ବିହାରୀ ବର୍ମା ସୁପ୍ରିମକୋର୍ଟଙ୍କୁ ନିଜର ବୋଲି ବିବାଦ ସୃଷ୍ଟି କରିଛନ୍ତି ।

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୁକୁଟ ବିହାରୀ କହିଛନ୍ତି ଦେଶରେ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ । କାରଣ ଏହି ମାମଲା ସୁପ୍ରିମକୋର୍ଟ ବିଚାରଧୀନ ରହିଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଆମର । କେବଳ ଏତିକି ନୁହେଁ ନ୍ୟାୟପାଳିକା, ପ୍ରଶାସନ, ଦେଶ ଓ ମନ୍ଦିରକୁ ନିଜର ବୋଲି କହିଛନ୍ତି ବିଜେପିର ଏହି ମନ୍ତ୍ରୀ । ତେବେ ମୁକୁଟଙ୍କ ଏହି ବୟାନ ପରେ ଏବେ ଆରମ୍ଭ ହୋଇଛି ବିବାଦ । ତେବେ ବିବାଦ ଦେଖା ଦେବା ପରେ ନିଜର ବୟାନ ବଦଳାଇବା ସହ ମୁକୁଟ କହିଛନ୍ତି, ଦେଶର ନିବାସୀ ହୋଇଥିବାରୁ ମୋର କୋର୍ଟଙ୍କ ଭରସା ରହିଛି । କିନ୍ତୁ କୋର୍ଟ ଆମ ସରକାରଙ୍କର ବୋଲି ସେ ଆଦୌ କହିନାହାନ୍ତି ବୋଲି ସଫେଇ ଦେଇଛନ୍ତି ମୁକଟ ।

ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ କାନୁନ ଅଣାଯିବ ବୋଲି କହିଥିଲେ । ସେ କହିଥିଲେ ଯଦି ସୁପ୍ରିମକୋର୍ଟ କିମ୍ବା ଆପୋଷ ବୁଝାମଣା ଦ୍ୱାରା ରାମ ମନ୍ଦିର ନିର୍ମାଣ ନେଇ କୌଣସି ନିଷ୍ପତି ନିଆ ନଯାଏ ତେବେ ସଂସଦରେ ଏନେଇ ଆଇନ ଅଣାଯାଇ ରାମ ମନ୍ଦିର ନିର୍ମାଣ କରାଯିବ ।