ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାୟକ । ବିଧାନସଭାରେ ହଙ୍ଗାମା ପାଇଁ ପୁଣି ୧ ଘଂଟା ଗୃହ ମୁଲତବି

89

କନକ ବ୍ୟୁରୋ : ବିଧାନସଭାରେ ହଙ୍ଗାମା ପାଇଁ ଚାଲି ପାରୁନି ଗୃହକାର୍ଯ୍ୟ । ବାରମ୍ବାର ଗୃହ ମୁଲତବି ହେବା ପରେ ୪ଟାରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ଅଳ୍ପ ସମୟ ସ୍ୱାଭାବିକ୍ ଭାବେ ଚାଲିବା ପରେ ପୁଣି ହଙ୍ଗାମା କରିଥିଲେ ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ମାଇକ୍ ଭାଙ୍ଗି ଦେଇଥିଲେ । ଏହାପରେ ପୁଣି ଏକ ଘଂଟା ପାଇଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ଓ ବିଜେଡି ବିଧାୟକ ଗୃହରେ ହଟ୍ଟଗୋଳ କରିଛନ୍ତି । ଫଳରେ ପ୍ରଥମେ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ଶୁନ୍ୟକାଳ ଆରମ୍ଭ ହେବା ମାତ୍ରେ ପୁଣି ସମାନ ପ୍ରସଙ୍ଗ ଉଠାଇ ବିଜେଡି ଓ ବିଜେପି ସଦସ୍ୟମାନେ ହଙ୍ଗାମା କରିଥିଲେ । ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ସାଢ଼େ ୧୨ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ସମାନ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ଏହାପରେ ଏବେ ଆହୁରି ୧ ଘଂଟା ପାଇଁ ଗୃହକାର୍ଯ୍ୟ ମୁଲତବି ରହିଛି ।

ପ୍ରଶ୍ନକାଳ ଆରମ୍ଭରେ ପରୀ ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଥିଲା ବିଜେଡି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ନାରାବାଜି କରିଥିଲେ । ଗୃହ ମୁଲତବି ହେବା ପରେ ଗାନ୍ଧୀ ପ୍ରତିମୂର୍ତି ତଳେ ବ୍ୟାନର ଧରି ଧାରଣା ଦେଇଥିଲେ ବିଜେଡି ବିଧାୟକ   ।

ସେପଟେ ଅର୍ପଣ ରଥରୁ ଉଷୁନା ଚାଉଳ ମିଳିବା ପ୍ରସଙ୍ଗରେ ବିଧାନସଭାରେ ବିଧାୟକଙ୍କ ହଟ୍ଟଗୋଳ । ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇଥିଲେ । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା ଓ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଏଥିରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ । ବିଜେପି କହିଛି, ଶ୍ରୀମନ୍ଦିର ପରିଚାଳନା ସମିତିର ନୀତି ବିରୁଦ୍ଧରେ ଅର୍ପଣ ରଥ ବୁଲାଇଲେ ରାଜ୍ୟ ସରକାର । ଡାଲା ଅଟୋରେ ମହାପ୍ରଭୁଙ୍କୁ ଭିକାରୀ ସଜାଇ ବୁଲା ଗଲା । ଅର୍ପଣ ରଥରେ ମହାପ୍ରଭୁଙ୍କୁ ବୁଲାଇ ଉଷୁନା ଚାଉଳ ସହ ଅରୁଆ ଚାଉଳ ମିଶାଇ ସଂଗ୍ରହ କରାଗଲା । ଏହା ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ସରକାର ।