କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ବିଜେପି ପ୍ରଚଣ୍ଡ ବହୁମତ ପାଇବା ପରେ ଏବେ ପୁଣିଥରେ ଶାସନଗାଦିରେ ବସିବ । ଉତ୍ତରପ୍ରଦେଶରେ ଯୋଗୀଙ୍କ କ୍ରେଜ ଏହି ବିଜୟ ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହି ବିଜୟ ବିଜେପି ଶିବିରକୁ ବେଶ ଉତ୍ସାହିତ କରିଥିବା ବେଳେ ବିଜୟୀ ବିଧାୟକଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ଗାଜିଆବାଦର ଲୋନି ଅଞ୍ଚଳରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନନ୍ଦକିଶୋର ଗୁଜ୍ଜର ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ନନ୍ଦକିଶୋର ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି, ଲୋନିର ସରକାରୀ ଅଧିକାରୀ ବୁଝିଯିବା ଆବଶ୍ୟକ । ଏଠାରେ ଗୋଟିଏ ବି ମାଂସ ଦୋକାନ ଯେପରି ଦେଖାଯିବା ନ ଦରକାର । ଲୋନିରେ ରାମରାଜ୍ୟ ଆସିବା ଦରକାର, ସେଥିପାଇଁ କ୍ଷୀର-ଘିଅ ଖାଆନ୍ତୁ ଓ ଦଣ୍ଡ ବୈଠକ କରନ୍ତୁ ।
ଏହାପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ନନ୍ଦକିଶୋର ଗୁଜ୍ଜର ନିଜର ବୟାନକୁ ବିବାଦୀୟ ହୋଇଥିଲେ । ଜାନୁଆରୀରେ ନନ୍ଦକିଶୋର କହିଥିଲେ, ଯେଉଁ ଲୋକ ଅଲ୍ଲୀଙ୍କ ନାଁ ନେଉଛନ୍ତି ସେମାନେ ପାକିସ୍ତାନ ଚାଲିଯାଆନ୍ତୁ । ନିର୍ବାଚନ ପରେ ଲୋନି ସମ୍ପୂର୍ଣ୍ଣ ରୂପେ ରାମରାଜ୍ୟ ହେବ । ଏହାଛଡା ନନ୍ଦକିଶୋର କହିଥିଲେ, ସମାଜବାଦୀ ପାର୍ଟି ଏକ ପାକିସ୍ତାନ ପାର୍ଟି । ଏହାର ସମ୍ପର୍କ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ସହ ରହିଛି ।
ଚଳିତ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନରୁ ୨୫୫ ଆସନରେ ବିଜୟୀ ହୋଇଛି ବିଜେପି । ସମାଜବାଦୀ ପାର୍ଟି ୧୧୧ ଆସନରେ ବାଜିମାତ କରିଥିବା ବେଳେ ଆପନା ଦଳ(ସୋନେଲାଲ) ୧୨ଟି ଆସନରେ, କଂଗ୍ରେସ ୨ ଓ ବିଏସପି ଗୋଟିଏ ଆସନରେ ବିଜୟୀ ହୋଇଛି ।