କନକ ବ୍ୟୁରୋ: କଳାକାର କଳିକୁ ନେଇ ତେଜୁଛି ରାଜନୀତି । ତେଜୁଛି ବୟାନବାଜି । ଏବେ ବୟାନ ରଖିଛନ୍ତି ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ମୁକେଶ ମହାଲିଙ୍ଗ । କହିଛନ୍ତି ମନୋଜ ମିଶ୍ର ପଶ୍ଚିମ ଓଡ଼ିଶାର ଜଣେ ବଡ଼ କଳାକାର । କଳାକାରଙ୍କର କୌଣସି ସୀମା ସରହଦ ନଥାଏ । ଘଟଣାର ତୁରନ୍ତ ସମାଧାନ କରିବା ସହ ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ନହେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବଡ଼ ଆନ୍ଦୋଳନ ହେବ । କଳାକାରଙ୍କୁ ଅସମ୍ମାନର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ । ଏହା ସହ ମନୋଜ ମିଶ୍ରଙ୍କ ବିରୋଧରେ ମଧ୍ୟ ମନ୍ତବ୍ୟ ଦେଇଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଟାଗେର୍ଟ କରିଛନ୍ତି ।

ଓଲିଉଡରେ ଆରମ୍ଭ ହୋଇଥିବା ବିବାଦ ଏବେ ବଢିବାରେ ଲାଗିଛି । ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଜୋଜକ ସଂଘ ଦୁଇ ବର୍ଷ ବ୍ୟାନ କରିବା ପରେ ପଶ୍ଚିମ ଓଡ଼ିଶାରେ ତାଙ୍କ ପ୍ରତି ସମର୍ଥନ ବଢୁଛି । କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡିରେ ପ୍ରତିବାଦ କରାଯାଇଛି । ଓଡ଼ିଆ ଫିଲ୍ମ ମାଲ୍ୟଗିରିର ପୋଷ୍ଟର ପୋଡିବା ନାରାବାଜି କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଓଡ଼ିଶା ଫିଲ୍ମକୁ କୋଶଳଅଂଚଳରେ ସବୁ ଦିନ ଲାଗି ବ୍ୟାନ କରିବାକୁ ଦାବି କରିଛି ମୋର୍ଚ୍ଚା ।