ବିଧାୟକ ହେବ ତ ଏମିତି… । ଛାତିଏ ପାଣିରେ ପଶିଲେ, କୁନି କୁନି ପିଲାଙ୍କୁ ଉଦ୍ଧାର କଲେ । ପୂରା ଦେଶରୁ ଛୁଟିଲା ପ୍ରଂଶସାର ସୁଅ ।

788

କନକ ବ୍ୟୁରୋ : କଥାରେ ଅଛି, ଛବି କଥା କୁହେ । ଯେଉଁ କଥାକୁ ବେଳେ ବେଳେ ଶବ୍ଦରେ ବୟାନ କରି ହୁଏ ନାହିଁ ତାହାକୁ ଫଟୋ ଓ ଭିଡ଼ିଓ ହିଁ ବଖାଣିଦିଏ । ଏହି କିଛି ସେକେଣ୍ଡର ଭିଡ଼ିଓ ମଧ୍ୟରେ ବି ହୃଦୟକୁ ଛୁଇଁଲା ଭଳି ଏକ ବଡ କାହାଣୀ ଲୁଚି ରହିଛି । ଯେଉଁ କାହାଣୀକୁ ବୁଝାଇବାକୁ ହେଲେ ଫର୍ଦ୍ଦ ଫର୍ଦ୍ଦ କାଗଜ ଲାଗିଯିବ । କିନ୍ତୁ ଏହି କିଛି ସେକେଣ୍ଡର ଭିଡ଼ିଓରେ ଆପଣ ଜଣେ ଜନପ୍ରତିନିଧିର କର୍ତ୍ତବ୍ୟ କଣ ତାହା ବେଶ ଭଲ ଭାବରେ ଉପଲବ୍ଧି କରିବେ ।

ଯେତେବେଳେ ବନ୍ୟାରେ ପୂରା ଆସାମ ଉବୁଟୁବୁ ହେଉଛି, ସୁରକ୍ଷିତ ସ୍ଥାନରେ ମୁଣ୍ଡ ଗୁଞ୍ଜିବା ପାଇଁ ମଣିଷ ଟିକିଏ ରାହା ଖୋଜୁଛି । ସେତେବେଳେ ଏହି ଭିଡ଼ିଓ ମରି ଯାଉଥିବା ମଣିଷପଣିଆ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଏହି ଭିଡ଼ିଓ ହିଁ ବୟାନ କରୁଛି ବନ୍ୟାର ଭୟାବହତା କେତେ ଓ କିଏ ବିପଦ ବେଳର ବନ୍ଧୁ ।

ଛାତିଏ ପାଣିରେ ପଶି କଦଳୀ ଭେଳାରୁ ଦୁଇ କୁନି ଶିଶୁଙ୍କୁ ଉଦ୍ଧାର କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆସାମର ବିଜେପି ବିଧାୟକ ମିଣ୍ଣାଲ ସାଇକିଆ । ଜନତାଙ୍କ ଦୁଃଖରେ ନେତାର ଭୂମିକା କଣ ତାହା ବୋଧହୁଏ ମୃଣ୍ଣାଲ ବେଶ ଭଲ ଭାବରେ ବୁଝି ପାରିଛନ୍ତି । ରାଜନୀତି ନୁହେଁ ବରଂ ରାଜଧର୍ମର ପାଳନ ପାଇଁ ଛାତିଏ ପାଣିରେ ପଶିଛନ୍ତି ମୃଣ୍ଣାଲ । ବିପର୍ଯ୍ୟୟ ପରେ ତ ଅନେକ ନେତା ପ୍ରତିଶ୍ରୁତିର ପୁଡିଆ ଧରି ଆସିଥାନ୍ତି । କିନ୍ତୁ ବିପର୍ଯ୍ୟୟ ସମୟରେ ସତେ ଯେମିତି କାହାର ଦର୍ଶନ ମିଳିନଥାଏ । ତେବେ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି ମୃଣ୍ଣାଲ ।

କୁହାଯାଏ, ବିପର୍ଯ୍ୟୟ ବେଳେ ରାଜା ମଧ୍ୟ ପ୍ରଜାମାନଙ୍କ ପାଇଁ ଗାଦିରୁ ଓହ୍ଲାଇ ଆସିଥାନ୍ତି । ଆଉ ଠିକ୍ ସେହିଭଳି ବନ୍ୟା ବିଭିଷୀକାରେ ଯେତେବେଳେ ପୂରା ଆସାମ ଉବୁଟୁବୁ ହେଉଛି ସେତେବେଳେ ଜନତାଙ୍କ ପାଇଁ ଛାତିଏ ପାଣିକୁ ପଶିବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି ମିଣ୍ଣାଲ । ବିପଦରେ ଛିଡା ହେବାକୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ଆଗେଇ ଆସିଛନ୍ତି ବିଜେପିର ଏହି ବିଧାୟକ । ବନ୍ୟାରେ ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଛନ୍ତି ମୃଣ୍ଣାଲ । ଉଦ୍ଧାରକାରୀ ଦଳ ସହ ଛାତିଏ ପାଣିରେ ପଶି କଦଳୀ ଭେଳାରୁ କୁନି କୁନି ପିଲାଙ୍କୁ ନିଜେ ଉଠାଇ ଆଣି ସୁରକ୍ଷିତ ଭାବେ ବୋଟରେ ଛାଡୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ମଣିଷ ନୁହେଁ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଦେବଦୂତ ସାଜି ଉଭା ହୋଇଛନ୍ତି ମୃଣ୍ଣାଲ । ସେମାନଙ୍କୁ ମଧ୍ୟ ଉଦ୍ଧାର କରି ଆଶ୍ରୟ ଦେଇଛନ୍ତି ମୃଣ୍ଣାଲ । ଆଉ ମୃଣ୍ଣାଲଙ୍କ ଏଭଳି କାର୍ଯ୍ୟକୁ ଆସାମ ସମେତ ପୂରା ଦେଶରେ ପ୍ରଂଶସା କରାଯାଉଛି । ଆଉ ଲୋକେ କହୁଛନ୍ତି ନେତା ହେବ ତ ମୃଣ୍ଣାଳଙ୍କ ପରି ।