କନକ ବ୍ୟୁରୋ : ୧୦ତାରିଖ ସକାଳେ ବସିବ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନା ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ହେବ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ହେବ । ସେହି ଦିନ ସନ୍ଧ୍ୟାରେ ଶପଥ ନେବେ ବିଜେପିର ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ।
ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ମିଳେ, ତେବେ ବିଧାୟକଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରୀଶ ମୁର୍ମୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶାରେ ନୂଆ ସରକାରର ଶପଥ ଗ୍ରହଣ ପାଇଁ ଭୁବନେଶ୍ୱରର ଜନତା ମୈଦାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଯଦିଓ ଶପଥ ଗ୍ରହଣର ତାରିଖ ଓ ସମୟ ବିଧିବଦ୍ଧ ଭାବେ ଆସିନାହିଁ, ତଥାପି ରାଜ୍ୟ ଓ ଦେଶର ଅତିଥି ଆସୁଥିବାରୁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/bjp-flags-271319713-16x9_1.webp)