ମୋଡ଼ ବଦଳାଇଲା ‘ବିଷ୍ଣୁ ଝଡ’ ! ଆପତ୍ତିଜନକ ବୟାନ ନେଇ ତେଜିଲା ବିବାଦ । କଥା ଫେରାଇଲେ, ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ ।

487

କନକ ବ୍ୟୁରୋ: ଶେଷରେ ପଶ୍ଚାତାପ କରି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁଚରଣ ସେଠୀ । ଗତାକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । କାରଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଏବଂ ବାରମ୍ବାର ଗୃହ ଅଚଳ ହେବାରୁ ବିଷ୍ଣୁ ସେଠୀଙ୍କୁ ଡାକି ଆଲୋଚନା କରିଛନ୍ତି ବାଚସ୍ପତି ।

ଅନ୍ୟପଟେ ଗତକାଲି ବିଷ୍ଣୁ ଦେଇଥିବା ନିଜ ବିବୃତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆଉ ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଆଗକୁ ଏସମ୍ପର୍କରେ କୌଣସି ଖବର ପ୍ରସାର ନକରିବାକୁ ରୁଲିଂ । ତେବେ କିଛି ସମୟ ପୂର୍ବେ ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥଲା ଆଉ ମୁଲତବୀ ବେଳେ ବିଷ୍ଣୁଙ୍କ ସ୍ୱର ବଦଳିନଥିଲା । ଆଉ ଗତକାଲି ଭଳି ଆଜି ବି ପୂର୍ବଭଳି କଥା ଦୋହରାଇଥିଲେ ବିଷ୍ଣୁ  । ଏପରିକି ମୁଁ କ’ଣ ମଣିଷ ମାରିଛି କି ପଶ୍ଚତାପ କରିବି ବୋଲି ଯୁକ୍ତି ବାଢ଼ିଥିଲେ ବିଷ୍ଣୁ ।

ସେପଟେ ବିଷ୍ଣୁଙ୍କ ବିବାଦୀୟ ବୟାନ ନେଇ କଂଗ୍ରେସର ହଟ୍ଟଗୋଳ । ବିଷ୍ଣୁଙ୍କ କ୍ଷମା ଦାବି କରି ଗୃହ ଆରମ୍ଭରୁ ହୋହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ଯାହା ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଉ ତାରା କହିଛନ୍ତି, ରାଜ୍ୟରେ ଯେଭଳି ବିଜେଡି-ବିଜେପି ଭାଇ ଭାଇ , ଠିକ୍ ସେମିତି ଗୃହରେ ମଧ୍ୟ ତାହା ଦେଖିବାକୁ ମିଳୁଛି । କାରଣ ନାରୀ ଜାତିକୁ ସମ୍ମାନ ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଗତକାଲି ବିଷ୍ଣୁଙ୍କ ବୟାନ ପରେ  ବସିଛି । ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି ଏପ୍ରସଙ୍ଗରେ ଚୁପ୍ ବସିଛି । ଆମର ଦାବି ବିଷ୍ଣୁ ଦେଇଥିବା ବିବାଦୀୟ ବୟାନ ପାଇଁ ସେ କ୍ଷମା ମାଗନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ବାଚସ୍ପତି ରୁଲିଂ ଡାକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ , ବିଷ୍ଣୁଙ୍କ ବିବାଦୀୟ ବୟାନରେ ଦଳର କୌଣସି ସଂପୃକ୍ତି ନଥିବା କହିଛି ବିଜେଡି । ଏହା ବିରୋଧୀ ଦଳ ଉପନେତାଙ୍କ ନିଜସ୍ୱ ବିବୃତି । ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଆପତିଜନକ । ଗୃହର ମର୍ଯ୍ୟାଦା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ଯେହେତୁ ଆକ୍ଷେପ ରହିଛି ତାକୁ ପ୍ରତ୍ୟାହାର କରିନେବା ଉଚିତ ।  ସବୁଠାରୁ ବଡ଼କଥା ହେଲାକି , ଶେଷରେ ବିଷ୍ଣୁ ପଶ୍ଚାତାପ କରି ତାଙ୍କ ମନ୍ତବ୍ୟକୁ ବିବୃତିରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।