କନକ ବ୍ୟୁରୋ : ବ୍ୟାଟରେ ପିଟି ବନ୍ଧା ହେଲେ ବିଜେପି ବିଧାୟକ । ଦାଦାଗିରି ଦେଖାଇବା ବିଧାୟକଙ୍କୁ ପଡିଲା ମହଙ୍ଗା । ଇନ୍ଦୋର ନଗରପାଳିକାର ଏକ କର୍ମଚାରୀଙ୍କୁ ବ୍ୟାଟରେ ପିଟିଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୋଲିସ । ଆକାଶଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଓ ସାକାରୀ କାମରେ ବାଧା ଦେଇଥିବା ଏଫଆଇଆରରେ ଦର୍ଶାଇଛି ପୋଲିସ । କେବଳ ଆକାଶ ନୁହେଁ ବରଂ ତାଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ଆକାଶଙ୍କ ବିରୋଧରେ ଧାରା ୩୫୩, ୨୯୪, ୫୦୬, ୧୪୭ ଓ ୧୪୮ ଅନୁଯାୟୀ ଆକାଶଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Advertisment

ଇନ୍ଦୋରରେ ନିଗମ ଅଧିକାରୀଙ୍କ ଟିମ ଭଙ୍ଗାଦଦରା କୋଠା ଭାଙ୍ଗିବାକୁ ଆସିଥିବା ବେଳେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ବିଧାୟକ ଆକାଶ ନିଗମ ଅଧିକାରୀଙ୍କୁ ଠେଲାପେଲା କରିବା ସହ ଗଣ୍ଡଗୋଳ ଓ ମାରପିଟ କରିଛନ୍ତି । ହାତରେ କ୍ରିକେଟ ବ୍ୟାଟ ଧରି ଅଧିକାରୀଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇନଥିଲେ ଆକାଶ ।ଏହି ସମୟରେ ଆକାଶଙ୍କ ସମର୍ଥକ ଅଧିକାରୀମାନଙ୍କ ଉପରକୁ ଭିଡି ଯାଇଥିଲେ । ଏପରିକି ନଗର ନିଗମର ଜେସିବି ମେଶିନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଆକାଶଙ୍କ ସମର୍ଥକ । ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକ ଆକାଶଙ୍କ ଏଭଳି ଗୁଣ୍ଡାଗିରି ସାମ୍ନାକୁ ଆସିଛି ।

ଇନ୍ଦୋର ଅଂଚଳରେ ଭାରି ବର୍ଷାର ପୂର୍ବୁାନୁମାନ କରାଯିବା ପରେ ସେଠାରେ ଯେଉଁ ପୁରୁଣା କୋଠା ରହିଛି ତାକୁ ଭାଙ୍ଗିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନଗରନିଗମର ଅଧିକାରୀ ମାନେ ଯେତେବେଳେ କୋଠା ଭାଙ୍ଗିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ସେତେବେଳେ ଆକାଶ ବିଜୟବର୍ଗୀୟ ଓ ତାଙ୍କ ସମର୍ଥକ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଆକାଶ ହେଉଛନ୍ତି ବିଜେପି ବିଧାୟକ ତଥା ବିଜେପିର ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ପୁଅ । ତେବେ ଏହି ଘଟଣାରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଆକାଶଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆକାଶଙ୍କ ଏଭଳି ଦାଦାଗିରି ବିଜେପିର ଅସଲ ଚେହେରାକୁ ପଦାରେ ପକାଇଛି ।