କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନିର୍ବାଚନ । ପ୍ରଚାର ସରଗରମ, ଘମାଘୋଟ ଲଢ଼େଇ । ହେଲେ କେନ୍ଦ୍ରାପଡା ବିଜେପିର ହେଭିୱେଟ୍ ବୈଜୟନ୍ତ ଓ ବିଜୟଙ୍କ ଦେଖା ନାହିଁ । ସେହିପରି ଗାଏବ ଅଛନ୍ତି ବର୍ତମାନର ସାଂସଦ ତଥା ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତି । ଯାହାକି ପ୍ରଚାର ମଇଦାନରେ ବାରି ହୋଇପଡୁଛି । ଅନ୍ୟପଟେ ଦଳୀୟ କର୍ମୀଙ୍କ ବାଟରେ କଣ୍ଟା ସାଜିଛନ୍ତି ସ୍ୱାଧୀନ ପ୍ରାର୍ଥୀ । ବିଭିନ୍ନ ଆସନରୁ ପ୍ରାର୍ଥୀ ହୋଇଥିବା ନେତା ବିଜୟଙ୍କ ସମର୍ଥନ ଥିବା କହି ପ୍ରଚାର ଚଳାଇଛନ୍ତି ଯାହାକି ଅଡ୍ରୁଆ ପରିସ୍ଥିତି ସୃଷ୍ଟି କରିଛି ।

Advertisment

କେନ୍ଦ୍ରାପଡା ବିଜେପିର ହେଭିୱେଟ୍ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ବିଜେଡିର କ୍ରାଉଡପୁଲର ସାଂସଦ ଅନୁଭବ ମହାନ୍ତିଙ୍କ ବିନା ଏଥର ଚାଲିଛି ନିର୍ବାଚନ ଲଢ଼େଇ । ବୈଜୟନ୍ତ ଦିଲ୍ଲୀ ପୌର ନିର୍ବାଚନ ପାଇଁ ବ୍ୟସ୍ତ ଥିବାବେଳେ ବିଜୟ ଦେହ ଖରାପ କହି ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି । ଅନୁଭବ ମଧ୍ୟ ଆସୁନାହାନ୍ତି । ଯାହାର ପ୍ରଭାବ ପ୍ରଚାର ମଇଦାନରେ ସିଧାସଳଖ ବାରି ହୋଇପଡୁଛି ।

୨୦୧୭ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲାର ମୋଟ ୩୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୦ଟି ଦଖଲ କରିଥିଲା ବିଜେପି । ଏହି ଆସନ ଗୁଡିକ ମଧ୍ୟରୁ ଅଧିକାଂଶ ଆସନ ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ଅଞ୍ଚଳରେ ଥିଲା । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଯୋଗୁଁ ଏହା ସମ୍ଭବ ହୋଇଥିଲା ବୋଲି କୁହାଯାଉଥିଲା । ହେଲେ ଚଳିତ ବର୍ଷ ପ୍ରଚାରଠାରୁ ନିଜକୁ ଦୂରେଇ ରଖିଛନ୍ତି ବିଜୟ । ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀମାନେ ବ୍ୟାନର, ପୋଷ୍ଟରରେ ବିଜୟଙ୍କ ଫଟୋ ଲଗାଇଥିଲେ ବି ନିଜ ଦମରେ ଲଢ଼ୁଛନ୍ତି । ଘର ଘର ବୁଲି ପ୍ରଚାର କରୁଛନ୍ତି । ତଥାପି ଦଳୀୟ ଭୋଟରଙ୍କୁ ଏକାଠି କରିବାରେ କେଉଁଠି ନା କେଉଁଠି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେନ୍ଦ୍ରାପଡା ବିଜେପିର ଅନ୍ୟତମ ବଡ ଚେହେରା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ହେଲେ ସେ ବି ଚଳିତ ନିର୍ବାଚନ ପ୍ରଚାରକୁ ଆସିନାହାନ୍ତି । ଭର୍ଚୁଆଲ ମୋଡରେ କର୍ମୀଙ୍କ ସହ ଆଲୋଚନା କରିଥିଲେ ବି ସିଧାସଳଖ ମଇଦାନକୁ ଓହ୍ଲାଇ ନାହାନ୍ତି । ବୈଜୟନ୍ତ ବିଜେପିରେ ସାମିଲ ହେବା ପରେ ଏହା ହେଉଛି ପ୍ରଥମ ପଂଚାୟତ ନିର୍ବାଚନ । ତେଣୁ ଚଳିତ ନିର୍ବାଚନରେ ତାଙ୍କର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା । ଆଉ କେନ୍ଦ୍ରାପଡାରେ ୨୦୧୭ ଅପେକ୍ଷା ଏଥର ବିଜେପି ଭଲ କରିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ, ଏପର୍ଯ୍ୟନ୍ତ ସେମିତି କିଛି କରିସ୍ମା ଦେଖିବାକୁ ମିଳିନାହିଁ ।

ବିଜେପି ପ୍ରାର୍ଥୀଙ୍କ ପାଇଁ ବାଧକ ସାଜିଛନ୍ତି ସ୍ୱାଧୀନ ପ୍ରାର୍ଥୀ । ସେମାନେ ବିଜୟଙ୍କ ଫଟୋ ଲଗାଇ ପ୍ରଚାର କରୁଛନ୍ତି । ବିଜୟ ତାଙ୍କୁ ସମର୍ଥନ କରୁଥିବା କହୁଛନ୍ତି । ଯାହାକି ନିର୍ବାଚନ ଫଳାଫଳକୁ ପ୍ରଭାବିକ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବିଜେଡିର କ୍ରାଉଡ ପୁଲର କୁହାଯାଉଥିବା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଜିଲ୍ଲା ରାଜନୀତିରୁ ଏକ ପ୍ରକାର ଗାଏବ ହୋଇଯାଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପୋଷ୍ଟର କି ବ୍ୟାନରରେ ଅନୁଭବଙ୍କ ଚିହ୍ନବର୍ଣ୍ଣ ନାହିଁ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକମାନେ ପ୍ରଚାର କରୁଥିଲେ ବି ଅନୁଭବଙ୍କ ଦେଖା ନାହିଁ ।