ତେଜିଲା ‘ରାହୁଲ’ ଝଡ଼, କଳା ପୋଷାକ ପିନ୍ଧି ପ୍ରତିବାଦ । ‘ବ୍ଲାକ୍ ଡ୍ରେସ ପ୍ରୋଟେଷ୍ଟ’କୁ ବିଜେପିର କଟାକ୍ଷ । କେନ୍ଦ୍ରମନ୍ତ୍ରୀ କହିଲେ ଏମିତି କଥା…

169

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗ ଓ ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଆକ୍ରମଣାତ୍ମକ ହୋଇଉଠିଛି କଂଗ୍ରେସ । ସଂସଦ ଠାରୁ ଆରମ୍ଭ କରି ରାଜରାସ୍ତା ଯାଏଁ ରଣହୁଙ୍କାର ଭରିଛନ୍ତି କଂଗ୍ରେସ କର୍ମୀ । ସକାଳୁ ସକାଳୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ସବୁ ସାଂସଦ ଗୃହ ଭିତରକୁ କଳା ପୋଷାକ ପିନ୍ଧି ପ୍ରତିବାଦ କରିଥିଲେ । ତେବେ ଗୃହ ଅଚଳ ହେବା ପରେ ସବୁ ସାଂସଦ ସଂସଦ ଭବନ ଭବନରୁ ବିଜୟ ଚୌକ ଯାଏଁ ଚାଲିଚାଲି ବିରୋଧ କରିଥିଲେ । ଆଉ ଏଥିରେ ସାମିଲ ହୋଇଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି, ମୋଦୀ ସରକାର ଦେଶରେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ହତ୍ୟା କରିଛନ୍ତି । ସେଥିପାଇଁ ଆମେ କଳା ପୋଷାକ ପିନ୍ଧି ଏହାର ପ୍ରତିବାଦ କରୁଛୁ । ଯେଉଁଭଳି ଭାବେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଷ୍କାସିତ କରାଯାଇଛି, ତାହା କେବଳ କଂଗ୍ରେସ ନୁହେଁ, ସବୁ ବିରୋଧୀ ଦଳକୁ ଏକଜୁଟ କରିଛି । ଆଗକୁ ଏହି ବିରୋଧ ଜୋରଦାର ହେବ ।

  • ସାରା ଦେଶରେ ବିରୋଧ
  • ରାଜଧାନୀରେ ଯୁବ କଂଗ୍ରେସର ନାରାବାଜି

ରାହୁଲଙ୍କୁ ଅଯୋଗ୍ୟ ଘୋଷଣା ପରେ ପୂରା ଦେଶରେ ପ୍ରତିବାଦ ଜୋରଦାର ହୋଇଛି । ଚେନ୍ନାଇ, ଓଡ଼ିଶା ଓ ଆଉ କିଛି ରାଜ୍ୟରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ଯୁବ କଂଗ୍ରେସ କର୍ମୀ ହଲ୍ଲାବୋଲ ଦେଇଛି । ବିରୋଧ ପ୍ରଦର୍ଶନ କରୁଥିବା କିଛି ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

  • ‘ବ୍ଲାକ୍ ଡ୍ରେସ ପ୍ରୋଟେଷ୍ଟ’କୁ ବିଜେପିର କଟାକ୍ଷ
  • କେନ୍ଦ୍ରମନ୍ତ୍ରୀ କହିଲେ, ଅହଙ୍କାରରେ ବୁଡ଼ି ରହିଛନ୍ତି ରାହୁଲ

ସେପଟେ କଂଗ୍ରେସର କଳା ପୋଷାକ ପିନ୍ଧି ପ୍ରତିବାଦକୁ କଟାକ୍ଷ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସେମାନଙ୍କ କଳା କାରନାମା, ଆଉ ଏବେ କଳା ପୋଷାକ । ଆଗକୁ ଏମାନେ କଳା ଯାଦୁ ବି କରିବେ, କାରଣ ସେମାନଙ୍କ କଳା କାରନାମା ଲୁଚି ରହିପାରିବ ନାହିଁ । ରାହୁଲ ଗାନ୍ଧୀ ପଛୁଆବର୍ଗଙ୍କୁ ଅପମାନିତ କରିଛନ୍ତି । ଆଉ ସେମାନଙ୍କ ଭିତରେ ଏତେ ଅହଙ୍କାର ଭରି ରହିଛି ଯେ ସେମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁନାହାନ୍ତି ବୋଲି ଅନୁରାଗ ଠାକୁର କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ତାତ୍ସଲ୍ୟ କରିଛନ୍ତି । କହିଛନ୍ତି, ଘୋଡ଼ା ଦୌଡ଼ରେ ଭାଗ ନେବା ପାଇଁ ଆପଣ ଗଧ ଆଣୁଛନ୍ତି ।

ଆଦାନୀ ଓ ରାହୁଲ ପ୍ରସଙ୍ଗକୁ ନେଇ ସୋମବାର ଗୃହରେ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା । ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହକୁ ପ୍ରବେଶ କରିବା ମାତ୍ରକେ କଳା ପୋଷାକ ପିନ୍ଧି ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ସିଟ୍ ଉପରକୁ କାଗଜ ଫୋପାଡ଼ିଥିଲେ ଏବଂ କହିଥିଲେ ‘ୟୁ ଆର୍ କିଲିଙ୍ଗ ଦି ଡେମୋକ୍ରାସି’ ଅର୍ଥାତ୍ ‘ଆପଣ ଗଣତନ୍ତ୍ରକୁ ହତ୍ୟା’ କରିଛନ୍ତି । ଯାହା ପରେ ଗୃହକୁ ସ୍ଥଗିତ କରାଯାଇଥିଲା ।