କନକ ବ୍ୟୁରୋ : କର୍ଣ୍ଣାଟକର ରାମଗଡରେ ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେପିର ମନ୍ତ୍ରୀ ସି.ଏନ୍.ଅଶ୍ଵଥ ନାରାୟଣ ଓ କଂଗ୍ରେସ ସାଂସଦ ଡି.କେ. ସୁରେଶଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସ ଓ ବିଜେପି ନେତା ସାମନା ସାମନି ହୋଇ ଠେଲାପେଲା ହୋଇଯାଇଥିଲେ । ସେହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ତାଙ୍କୁ କଂଗ୍ରେସ ଓ ବିଜେପିର ନେତାମାନେ ଖାତିର ନକରି ଝଗଡା କରିବାରେ ଲାଗିପଡିଥିଲେ ।
କର୍ଣ୍ଣାଟକର ସରକାର ଏହି କାର୍ଯ୍ୟକ୍ରମକୁ ଡକ୍ଟର ବି.ଆର୍.ଆମ୍ବେଦକର ଓ ବେଙ୍ଗାଲୁରୁର ସଂସ୍ଥାପକ କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଆୟୋଜନ କରିଥିଲେ । ବିବାଦର କାରଣ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କଂଗ୍ରେସ ବିଧାୟକ ବିଜେପି ମନ୍ତ୍ରୀଙ୍କ ଭାଷଣକୁ ବିରୋଧ କରିବା ଆରମ୍ଭ କରିଥିଲେ । ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ବାକ୍-ତୁଣ୍ଡ ହୋଇଥିଲା । ଏହାପରେ ପରିସ୍ଥିତି ଗମ୍ଭୀର ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷାକର୍ମୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।
ସବୁଠାରୁ ବଡ କଥା ହେଲା ବିରୋଧୀ ନେତାଙ୍କୁ ଛଡେଇବା ପରିବର୍ତ୍ତେ ସେମାନେ ବି ଝଗଡାରେ ସାମିଲ ହୋଇଯାଇଥିଲେ । କଂଗ୍ରେସ ନେତା ଏସ୍.ରବି, ସି.ଏନ୍.ଅଶ୍ଵଥ ନାରାୟଣଙ୍କ ଭାଷଣକୁ ରୋକିବା ପାଇଁ ତାଙ୍କ ଠାରୁ ମାଇକ୍ ଛଡେଇ ଆଣିବାକୁ ଚେଷ୍ଟା କରିଥିଲେ । ବିବାଦ ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଥିଲେ ସେ ବିକାଶରେ ଯୋଗଦାନ ଦେବାକୁ ଆସିଛନ୍ତି । ସେ ଲୋକମାନଙ୍କୁ ରାଜନୀତିକୁ ବିକାଶ ସହିତ ନମିଶାଇବାକୁ କହିଥିଲେ ।