କନକ ବ୍ୟୁରୋ : ଯୋଗୀଙ୍କ ମନ୍ତ୍ରୀଙ୍କ ଟାର୍ଗେଟରେ ଅଖିଳେଶ । ଯୋଗୀ ସରକାରରେ ମନ୍ତ୍ରୀ ଥିବା ନନ୍ଦ ଗୋପାଳ ନନ୍ଦୀ ଆଲିଗଡରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟିପୁ ସୁଲତାନ ସହ ତୁଳନା କରିଛନ୍ତି । ନନ୍ଦ ଗୋପାଳ କହିଛନ୍ତି, ଯେଉଁ ବ୍ୟକ୍ତି କେବେ କୌଣସି ପରିଶ୍ରମ କରିନଥିଲେ, ତାଙ୍କୁ ମୁଲାୟମ ସିଂ ରାଜଗାଦି ପ୍ରଦାନ କରିଥିଲେ । ଆଉ ଏଭଳି କହି ଅଖିଳେଶ ଯାଦବଙ୍କୁ ଟିପୁ ସୁଲତାନ ସହ ତୁଳନା କରିଛନ୍ତି ।

Advertisment

ଏହାସହ ଯୋଗୀଙ୍କ ମନ୍ତ୍ରୀ କହିଛନ୍ତି, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଲାପଟାପରେ ଭିଡ଼ିଓ ଗେମ ଖେଳିବା ସହ ୫ ବର୍ଷ କାଟି ଦେଇଛନ୍ତି । ତାଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଚରମସୀମାରେ ପହଞ୍ଚିଥିଲା । ଏବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭୋଟ ହାତେଇବାକୁ ଅଖିଳେଶ ଧର୍ମ ନାଁରେ ରାଜନୀତି କରୁଛନ୍ତି । ଏପରିକି ଭ୍ୟାକସିନକୁ ନେଇ ମଧ୍ୟ ରାଜନୀତି କରିଛନ୍ତି ଅଖିଳେଶ । କରୋନା ଭ୍ୟାକସିନକୁ ବିଜେପି ଭ୍ୟାକସିନ କହି ଟିକା ନେଉନଥିଲେ ।

ପୁଅ ଅଖିଳେଶଙ୍କୁ ଯୋଗୀଙ୍କ ମନ୍ତ୍ରୀ ଟାର୍ଗେଟ କରିଥିବା ବେଳେ ବାପା ମୁଲାୟମ ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି । ନନ୍ଦ ଗୋପାଳ କହିଛନ୍ତି, ପୁଅ ଅଖିଳେଶଙ୍କ ଦ୍ୱାରା ଯେଉଁ ଭ୍ରମ ସୃଷ୍ଟି କରାଯାଇଥିଲା ତାହାକୁ ଟିକା ଦୂର କରିଥିଲେ ବାପା ମୁଲାୟମ । ଟିକା ନେଇ ଦେଶର ଡାକ୍ତର ଓ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇଛନ୍ତି ମୁଲାୟମ । ଯିଏ ଓସାମା ବିନ୍ ଲାଡେନଙ୍କୁ ଆଦର୍ଶ ବୋଲି କହୁଥିଲେ ସେମାନେ ଧର୍ମ ନାଁରେ ରାଜନୀତି କରୁଛନ୍ତି ନା ଆମେ ଧର୍ମ ନାଁରେ ରାଜନୀତି କରୁଛି ।

ଅଖିଳେଶ ଯାଦବ ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଭୟଭୀତ କରି ଭୋଟ ହାତଉଛନ୍ତି । ସେମାନଙ୍କ ବିକାଶ ପାଇଁ ଅଖିଳେଶ କେବେ ମଧ୍ୟ କାମ କରିନାହାନ୍ତି । ସେମାନଙ୍କୁ ଅଶିକ୍ଷିତ ରଖି ଭୟଭୀତ କରି ରାଜନୀତି କରୁଛନ୍ତି ଅଖିଳେଶ ।