କନକ ବ୍ୟୁରୋ : ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଆଗାମୀ ସାଧାରଣ ନିର୍ବାଚନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଉଥିଲେ ଟିଏମସି ସୁପ୍ରିମୋ । ଏହି ସମୟରେ ସେ କହିଛନ୍ତି, କେନ୍ଦ୍ରର ବିଜେପି ଉପରେ ତାଙ୍କର ସନ୍ଦେହ ରହିଛି । ଆଗାମୀ ନିର୍ବାଚନ ଡିସେମ୍ବର କିମ୍ବା ଜାନୁଆରୀରେ କରି ଦେଇପାରନ୍ତି । ବିଜେପି ଏବେ ହେଲିକପ୍ଟର ଗୁଡିକ ଆଗୁଆ ବୁକିଂ କରି ସାରିଛି । ଏଥିରୁ ଅନୁମାନ କରାଯାଉଛି, ଆଗାମୀ ଦିନରେ ଯେପରି ଅନ୍ୟମାନେ ଠିକ୍ ଭାବେ ପ୍ରଚାର କରିପାରିବେନି ତାକୁ ନଜରରେ ରଖି ହେଲିକପ୍ଟର ଗୁଡିକୁ ବିଜେପି ଆଗୁଆ ବୁକିଂ କରିଛି । ମମତା ଏକଥା ମଧ୍ୟ କହିଛନ୍ତି ଯେ ବିଜେପି ଆଗୁଆ ହେଲିକପ୍ଟର ବୁକିଂ କରୁଛି ଯାହା ଦ୍ୱାରା ପ୍ରଚାର ପାଇଁ ଅନ୍ୟ ଦଳଙ୍କୁ ହେଲିକପ୍ଟର ମିଳିବ ନାହିଁ ।

Advertisment

ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି । ଏପରିକି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିର୍ବାଚନ ପୂର୍ବରୁ ଗିରଫ କରିବା ନେଇ ସେ ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ଦିଦି କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ମମତା ବାର୍ନାଜୀଙ୍କ ଏହି ଦାବି ପଛର କାରଣ କ’ଣ । ପରମ ପ୍ରତିନ୍ଦ୍ୱନ୍ଦୀ ବିଜେପିକୁ ଟାର୍ଗେଟ କରିବା ଏକମାତ୍ର କାରଣ ନା ପୁତୁରାଙ୍କ ଘାରିଥିବା ଗିରଫ ଭୟକୁ ଏଡାଇବା ମମତା ଏପରି କହିଛନ୍ତି । ତେବେ ଯାହା ବି ହେଉ କିଛି ରାଜ୍ୟରେ ଆଗୁଆ ନିର୍ବାଚନ ଖବର ତାତି ଭିତରେ ମମତାଙ୍କ ଏହି ବଡ ଦାବି କେତେଦୂର ସତ ହେଉଛି ସେକଥା ଆଗାମୀ ଦିନରେ ଜଣାପଡିବ ।