ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଜେପିର ବୈଠକ । ନିର୍ବାଚନ ପାଇଁ ୧୪ ଜଣିଆ କମିଟି ସଦସ୍ୟଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ

233

କନକ ବ୍ୟୁରୋ: ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ବିଜେପି ପକ୍ଷରୁ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସହମତି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ସେହିପରି ନିଜ ରାଜ୍ୟ ୟୁନିଟ୍ ଓ ସହଯୋଗୀଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ବିଜେପି ୧୪ ଜଣିଆ ସମନ୍ୱୟ କମିଟି ଗଠନ କରିଛି । ଏହି ବୈଠକରେ କମିଟି ସଦସ୍ୟଙ୍କ ଭୂମିକା ଓ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସେମାନଙ୍କ ଦାୟିତ୍ୱକୁ ବୁଝାଯିବ ବୋଲି ସୂଚନା ରହିଛି ।

ସେହିପରି ୧୪ ଜଣ ସଦସ୍ୟଙ୍କୁ ବିଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯାଇପାରେ । ଏହି ୧୪ ନେତା ବିଭିନ୍ନ ରାଜ୍ୟ ଗସ୍ତ କରି ସମନ୍ୱୟ ରକ୍ଷା ପାଇଁ କାମ କରିବାକୁ ଦଳ ନିର୍ଦ୍ଦେଶ ଦେଇପାରେ । ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମିଳିତ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବେ ବୋଲି ନିଷ୍ପତି ନେଇଛନ୍ତି । ଜୁଲାଇ ୧୮ରେ ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁଲାଇ ୨୧ରେ ଭୋଟ୍ ଗଣତି ହେବ । ଜୁନ୍ ୩୦ ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ଜୁଲାଇ ୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।