ବିଜେପୁରରେ ଗୁଳି, ଦିଲ୍ଲୀରେ ହୁରି! ବିଜେପୁର ଉପନିର୍ବାଚନ ପୂର୍ବରୁ ପ୍ରଶାସନିକ ହସ୍ତକ୍ଷେପ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି ।

32

କନକ ବ୍ୟୁରୋ : ବିଜେପୁର ଉପ ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହେଲା ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି । ବିଜେପୁର ବାଜି ଜିତିବା ଲାଗି ବିଜେଡି ସମସ୍ତ କଳବଳ ଲଗାଇ ଦେଇଥିବାବେଳେ ଜିଲ୍ଲା ପ୍ରଶାସନକୁ ଉପନିର୍ବାଚନ ଜିତିବା ଲାଗି ବ୍ୟବହାର କରୁଥିବା ଅଭିଯୋଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ବାଢିଛି । ଏଥିସହ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ତାଙ୍କ ଭାଇ ସୁବ୍ରତ ସିଂ ଗୁଣ୍ଡା ଲଗାଇ ବିଜେପି ନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ସାଂଘାତିକ ଅଭିଯୋଗ ଆଣିଛି । ତେଣୁ ବିଜେପୁରର ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରିବା ସହ ସରକାରୀ କଳର ଅପବ୍ୟବହାର ରୋକିବା ଦିଗରେ ପଦକ୍ଷେପ ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ।

le BIJEPURଉପନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଅଶାନ୍ତ ହୋଇପଡିଥିଲା ବିଜେପୁର । ବାଲାଟ ପୂର୍ବରୁ ଚାଲିଥିଲା ବୁଲେଟ । ବିଜେପୁର ବ୍ଲକ ପଡ଼ା ଗାଁରେ ଥିବା ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରେ ୩ ରାଉଣ୍ଡ ଗୁଳିମାଡ଼ ହୋଇଥିଲା।ଏଥିରେ କେହି ମୃତାହତ ହୋଇନଥିବାବେଳେ ତାଙ୍କ ଘର କବାଟ ଓ କାନ୍ଥରେ ୩ ରାଉଣ୍ଡ ଗୁଳି ବାଜିଥିଲା ।ଯାହାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ମୁହାଁମୁହିଁ ହୋଇଥିଲେ ଦୁଇ ପ୍ରମୁଖ ଶତ୍ରୁ ବିଜେଡି-ବିଜେପି । ବିଜେପୁରର ଯୁବ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଥିବା ବେଳେ ଗୃହ ସଚିବଙ୍କୁ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ଆଉ ଏହି ପୁରା ଘଟଣାରେ ସିଧାସଳଖ ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟୀ କରିଥିଲା ବିଜେପି ।

ସୁଶାନ୍ତ ହିଁ ବିଜେପୁରରେ ଗୁଣ୍ଡାରାଜ ଚଳାଇଛନ୍ତି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଥିଲା । କେବଳ ବିଜେପି ନୁହେଁ ମନୋରଞ୍ଜନଙ୍କ ପରିବାର ମଧ୍ୟ ଭଟଲି ବିଧାୟକଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଥିଲା । ବିଜେପୁରରେ ବିଜେପିର ଲୋକପ୍ରିୟତା ବଢୁଥିବା ଦେଖି ବିଜେଡି ହଡବଡେଇ ଯାଇଛି ବୋଲି କହିଥିଲା ଦଳ । ଏପରିକି ଏହି ଘଟଣାରେ ବରଗଡ ଏସପିଙ୍କୁ ମଧ୍ୟ ଟାଣିଥିଲା ବିଜେପି । ଜବାବରେ ବିଜେଡି କହିଛି, ମିଛ ଲୋକପ୍ରିୟତା ପାଇଁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି । ବିଜେପୁରରେ ଦଳ ପଛରେ ପଡିଯାଇଥିବାରୁ ଏପରି ଏକ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡି କହିଛି ।